ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତକାଲି ୩ଟି ଭାଲୁ ପସି ଯାଇଥିଲେ । ଭାଲୁକୁ ଧରିବା ପାଇଁ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ବେହେରା ବେହେରାଙ୍କ ନିର୍ଦ୍ଦେଶ ପରେ ତଡ଼ିତ ସ୍ୱାଇଁଙ୍କ ନେତୃତ୍ୱରେ ୩୫ଜଣ ବନ ବିଭାଗର ସ୍ୱତନ୍ତ୍ର ବନ୍ୟଜନ୍ତୁ ଉଦ୍ଧାରକାରୀ ଟିମ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଥିଲେ । ଏହାସହ କିଭଳି ଭାଲୁକୁ ସୁରକ୍ଷିତ ଭାବେ ସ୍କୁଲ ପରିସରରୁ ବାହାରକୁ ଆଣିବେ ସେନେଇ ସତର୍କତାର ସହ ପଦକ୍ଷେପ ନେଇଥିଲେ । ପରେ ସନ୍ଧ୍ୟା ସମୟରେ ମା’ ଭାଲୁଟି ନିଜ ୨ଛୁଆ ସହିତ ବାହାରକୁ ବାହାରିଥିଲା । କିନ୍ତୁ ଭାଲୁ ନିଜ ଆଶ୍ରୟସ୍ଥଳୀ ବନାଇଥିବା ସ୍କୁଲକୁ ପୁନର୍ବାର ଫେରିବା ଆଶାରେ ସ୍କୁଲ ପରିସରର ବିଭିନ୍ନ ସ୍ଥାନରେ ୩ଟି ଯନ୍ତା ପକାଇ ୩୦ଜଣ କର୍ମଚାରୀ ସାରା ରାତି ଉଜାଗର ରହି ଭାଲୁ ଧରିବା ପାଇଁ ଅପେକ୍ଷା କରିଥିଲେ । ଆଜି ମଧ୍ୟ ବନ ବିଭାଗ ଟିମ ସଜାଗ ହୋଇ ସ୍କୁଲ ପରିସରରେ ଜଗି ରହିଛନ୍ତି । ଭାଲୁକୁ ଏଠାରୁ ସ୍ଥାନାନ୍ତର ନ କରିବା ପର୍ଯ୍ୟନ୍ତ ସ୍କୁଲରେ ରହିବା ନେଇ ବନାଞ୍ଚଳ ଅଧିକାରୀ ତଡ଼ିତ ସ୍ୱାଇଁ ସୂଚନା ଦେଇଛନ୍ତି । ଅନ୍ୟପଟେ ବନ ବିଭାଗର ଟିମ ସ୍କୁଲରେ ଉପସ୍ଥିତ ରହିଥିବାରୁ ସ୍କୁଲ ଛାତ୍ରଛାତ୍ରୀ ନିର୍ଭୟରେ ପାଠ ପଢ଼ୁଥିବା ସ୍କୁଲ ପ୍ରଧାନଶିକ୍ଷକ ଅଭିଳାଷ ସାହୁ କହିଛନ୍ତି ।