ପର୍ଶୁରାମଙ୍କ ଫଟୋ ଅପସାରଣ କରି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା, ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦକୁ ଅଦ୍ଭୂତପୂର୍ବ ସଫଳତା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ବ୍ଲକ ଛକରେ ୨୦୧୯ ମସିହାରୁ ପୂଜା ପାଇ ଆସୁଥିବା ଭଗବାନ ପର୍ଶୁରାମଙ୍କ ଫଟୋକୁ ଫିଙ୍ଗି ଦେଇ ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ ସମସ୍ତ ହିନ୍ଦୁ ସଂଗଠନ ପକ୍ଷରୁ ମିଳିତ ଭାବେ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ଡାକରା ଦିଆଯାଇଥିଲା । ଫଳରେ ସ୍ୱତଃପ୍ରବୃତ ଭାବରେ ସମସ୍ତ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ହେଲେ କେବଳ କୋର୍ଟ କାର୍ଯ୍ୟ ଚାଲିଥିବା ଦେଖାଯାଇଥିଲା । ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ସମ୍ପ୍ରତି ଚାଲିଥିବା ଯୁକ୍ତ ୩ ପରୀକ୍ଷାକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ବାଇକ ଚଳାଚଳକୁ ଅନ୍ଦୋଳନକାରୀମାନେ ଛାଡ଼ି ଦେଇଥିଲେ । ଉକ୍ତ ବିବାଦୀୟ ସ୍ଥାନରେ ଆନ୍ଦୋଳନକାରୀମାନେ ବସି ରହିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ସକାଳୁ ପ୍ରଥମେ କଂଗ୍ରେସ ଦଳ ନେତା ଅନୀଲ କୁମାର ମେହେର, ବ୍ଲକ କଂଗ୍ରେସ ସଭାପତି ପତିତପାବନ ପ୍ରଧାନ ସଦଳବଳେ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ସମଗ୍ର ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ । ପରେ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ନିଜ ସମର୍ଥକଙ୍କ ସହ ଧାରଣାସ୍ଥଳରେ ପହଞ୍ଚି ନିଜର ସମର୍ଥନ ଜଣାଇଥିଲେ । ଦୀର୍ଘ ଦିନରୁ ପୂଜା ପାଇ ଆସୁଥିବା ଭଗବାନ ପର୍ଶୁରାମଙ୍କ ଫଟୋଚିତ୍ରକୁ ଉକ୍ତ ସ୍ଥାନରୁ ହଟାଇ ଏକ ଟ୍ରାନ୍ସଫର୍ମରରେ ବାନ୍ଧି ଦେବାସହ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଘଟଣା କେବଳ ପାଟଣାଗଡ଼ ନୁହେଁ ବରଂ ସାରା ଓଡ଼ିଶାର ହିନ୍ଦୁ ସମାଜ ପ୍ରତି କୁଠାରାଘାତ କରାଯାଇଥିବା ଶ୍ରୀ ସିଂହଦେଓ କହିଥିଲେ । ଏହାବ୍ୟତୀତ ଗୁଗୁଲରେ ଖୋଜିଲେ ଉକ୍ତ ସ୍ଥାନଟି ପର୍ଶୁରାମ ଛକ ଭାବରେ ନାମିତ ହୋଇଥିବା ସେ ପ୍ରକାଶ କରିଥିଲେ ।

ସେହିପରି ପରେ ଆୟୋଜିତ ହୋଇଥିବା ବିକ୍ଷୋଭ ସମାବେଶରେ କୋଶଳ ମୁକ୍ତିମୋର୍ଚ୍ଚାର ନେତା ସୁଶୀଳ ଗୁରୁ, ପଶ୍ଚିମ ଓଡ଼ିଶା ପ୍ରାନ୍ତୀୟ ବଜରଙ୍ଗ ଦଳର ସୌମ୍ୟରଂଜନ ମିଶ୍ର, ପର୍ଶୁରାମ ସେନାର ଆବାହକ ଶ୍ରୀ ଖୁଆସ ପ୍ରମୁଖ ଉଦବୋଧନ ଦେଇ ସ୍ଥାନୀୟ ବିଧାୟକ ତଥା ତାଙ୍କ ସମର୍ଥକଙ୍କ ସହ କରାଯାଇଥିବା ଏହି କାର୍ଯ୍ୟକୁ ଏକଛତ୍ରବାଦ ଶାସନର ଏକ ନଗ୍ନ ନମୁନା ବୋଲି କହିଥିଲେ । ଏହାସହ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବାସହ ସମଗ୍ର ରାଜ୍ୟରେ ବ୍ୟାପିବ ବୋଲି ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦର ବିକ୍ରମ ଆଚାର୍ଯ୍ୟଙ୍କ ସହ ଅନ୍ୟାନ୍ୟ ସଦସ୍ୟ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଭାକର ପାତ୍ର, ପର୍ଶୁରାମ ସେନା, ବଜରଙ୍ଗ ଦଳ ସଭାପତି ସମରେନ୍ଦ୍ର ଦାଶ ଏବଂ ଶତାଧିକ ସଦସ୍ୟ ଓ ବ୍ରାହ୍ମଣ ଏକତା ମଞ୍ଚର ସହସ୍ରାଧିକ ସଦସ୍ୟ ଆନ୍ଦୋଳନରେ ସାମିଲ ଥିଲେ । ସଂଧ୍ୟାରେ ବଣିକ ସଂଘ ସଭାପତି ରାଜେଶ କୁମାର ମେହେର ନିଜ କଣ୍ଠସ୍ୱର ସମ୍ମିଳିତ ଏକ ପତ୍ର ମାଧ୍ୟମରେ ବନ୍ଦକୁ ସମର୍ଥନ ନ ଜଣାଇ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରଖିବାକୁ ନିବେଦନ କରିଥିଲେ । କିନ୍ତୁ ଆଜି ସକାଳେ ତାଙ୍କ ବାକ୍ୟକୁ ଅଣଦେଖା କରି ସମସ୍ତ ଦୋକାନ ବଜାର ସ୍ୱତଃପ୍ରବୃତ ଭାବରେ ବନ୍ଦ ରହିଥିବା ଦେଖାଯାଇଥିଲା । ଏହା ଆଜି ସହର ମଧ୍ୟରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇପଡ଼ିଥିଲା । ବିବାଦୀୟ ସ୍ଥାନରେ ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତିକୁ ନେଇ ମୁଣ୍ଡ ଟେକିଥିବା ଆନ୍ଦୋଳନ ତାଙ୍କ ପାଇଁ ଘୋର ଅସମ୍ମାନ ବୋଲି ବିଜୁପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତରବରିଆ ଭାବରେ ଯେଭଳି ବିନା ପ୍ରସ୍ତୁତି ଏବଂ ସୂଚନାରେ ସ୍ଥାପନା କରଗଲା ତାହା ବିଜୁ ପ୍ରେମୀଙ୍କୁ ବ୍ୟଥିତ କରିଛି । ଏକ ବର୍ଷାଦ୍ୟ ଉତ୍ସବର ଆୟୋଜନ କରି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲେ ତାହା ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହୋଇପାରିଥା’ନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି ।