ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାକୁ ମରୁଡ଼ି ଘୋଷଣା କରିବାକୁ କଂଗ୍ରେସ ଦାବୀ କରିଛି । ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ ବର୍ଷା ଅଭାବରୁ ମରୁଡ଼ି ହେବାର ଆଶଙ୍କା ଦେଖା ଦେଇଛି । ତେଣୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲାକୁ ମରୁଡ଼ି ଜିଲ୍ଲା ଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଦାବୀ କରିଛନ୍ତି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବହୁତ କମ ବର୍ଷା ହୋଇଛି । ଫଳରେ ଚାଷୀ ହତାଶ ହେବା ସହ ମରୁଡ଼ି ଦେଖା ଦେଇଛି । ଚାଷ ଜମିରେ ପାଣି ନାହିଁ । ଅନେକ ଚାଷୀ ଋଣ କରି ଚାଷ କରିଥିବାବେଳେ ବର୍ଷା ଅଭାବରୁ ଯଦି ଚାଷ ନହୁଏ ତେବେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେବେ । ଏଣୁ ଆଜି ଏକ ସାମ୍ୱାଦିକ ସମ୍ମିଳନୀ କରି ନବରଙ୍ଗପୁର ଜିଲ୍ଲାକୁ ମରୁଡ଼ି ଘୋଷଣା କରିବାକୁ ଦାବୀ କରାଯାଇଛି । ଯଦି ଏହା କରାନଯାଏ ତେବେ ଆଗାମୀ ଦିନରେ ଚାଷୀଙ୍କ ନିମନ୍ତେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ଚାଷୀ ନେତା ବୃନ୍ଦାବନ ତ୍ରିପାଠୀଙ୍କ ସମେତ ପି ନାଗରତ୍ନମା, ଦିଲ୍ଲୀପ ବେହେରା, ପ୍ରଦୀପ ସାହୁ, ଅବଦୁଲ ଫିରୋଜ ଓ ସୁରଜ ଲାଲ ପ୍ରମୁଖ ଉପସ୍ଥିତ ଥିଲେ ।