ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଭାଗୃହରେ କଟକ ଜିଲ୍ଲା ମୁଣ୍ଡୁଳିସ୍ଥିତ ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ(ଏନଡି ଆରଏଫ) ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସାମୁହିକ ଅଭ୍ୟାସ(ମକଡ୍ରିଲ) ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି କମାଣ୍ଡେଣ୍ଟ ଧନଞ୍ଜୟ କୁମାର, ସବଇନ୍ସପେକ୍ଟର ବିନୋଦ କୁମାର ମୀନା, ପୁଷ୍ପେନ୍ଦ୍ର କୁମାର ଦୁବେ ଓ ମହେନ୍ଦ୍ର କୁମାର ଚୌଧୁରୀ ଉପସ୍ଥିତ ଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି କେମିତି ରହିବ, ସର୍ବସାଧାରଣରେ ବିପର୍ଯ୍ୟୟକୁ କିପରି ପ୍ରତିହତ କରିହେବ, ପୂର୍ବ ଏବଂ ପରବର୍ତ୍ତୀ ସମୟରେ ବିପର୍ଯ୍ୟୟକୁ ହ୍ରାସ କରିବା ପଦ୍ଧତି, ପ୍ରାକ୍ ସୂଚନା ଯଥା ପ୍ରସାରଣ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ, ସମ୍ପୃକ୍ତ ଅଧିକାରୀଙ୍କ ଭୂମିକା, ସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା, ଯନ୍ତ୍ର ଓ ଉପକରଣର ବ୍ୟବହାର, ରିଲିଫ ବଣ୍ଟନ ଓ ସଫଳ ପ୍ରସ୍ତୁତି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ପରେ ଝରିଗାଁସ୍ଥିତ ବଡ଼ ବନ୍ଧ ଜଳାଶୟରେ ଏନଡିଆରଏଫ ଟିମ୍ ସହଯୋଗରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏକ ମକଡ୍ରିଲରେ ବନ୍ୟା ଭଳି ପରିସ୍ଥିତିରେ ନିଜକୁ ପାଣିରୁ ସୁରକ୍ଷିତ ବଞ୍ଚାଇବା ସହିତ ଅନ୍ୟମାନଙ୍କ ଧନ ଜୀବନ ଓ ଗୃହପାଳିତ ପଶୁପକ୍ଷୀଙ୍କୁ କିପରି ଭାବରେ ସୁରକ୍ଷିତ ଉପାୟରେ ବଞ୍ଚାଇବାର କୌଶଳ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଝରିଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଅତିରିକ୍ତ ତହସିଲଦାର ସତୀଶ ବଇନ, ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟ ନାରାୟଣ ମେହେର, ବରିଷ୍ଠ ରାଜସ୍ୱ ସହାୟକ ତ୍ରିପତି ବାଲାଜୀ ସାହୁ, ସନ୍ଦୀପ କୁମାର ନାୟକ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପାର୍ଥଜିତ ମଣ୍ଡଳ, ତହସିଲଦାର ରାଇଘର, ଚନ୍ଦାହାଣ୍ଡି, ଉମରକୋଟ, କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ଉମରକୋଟ ଓ ନବରଙ୍ଗପୁର ଉପସ୍ଥିତ ଥିଲେ । ସେହିପରି ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମକର୍ତ୍ତା, ପ୍ରାଣୀଧନ ଚିକିତ୍ସା ଅଧିକାରୀ, ବନ ବିଭାଗର କର୍ମକର୍ତ୍ତା, ଅଙ୍ଗନବାଡି ଓ ମିଶନ ଶକ୍ତି ମହିଳା ସଦସ୍ୟା ବୃନ୍ଦ, ସରପଞ୍ଚ ଓ ଝରିଗାଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜୁନିୟର ରେଡକ୍ରସଙ୍କ ସହିତ ଅଧ୍ୟାପକ ଅଧ୍ୟାପିକା, ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ ।