ମଶାଣିମୁଣ୍ଡାରେ ଗରୀବ ଲୋକଙ୍କୁ ପ୍ରଲୋଭିତ କରି ଧର୍ମାନ୍ତରୀକରଣ ଅଭିଯୋଗ ଆଣିଲେ ପ୍ରାନ୍ତୀୟ ହିନ୍ଦୁ ସଂଗଠନ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ମଶାଣି ମୁଣ୍ଡାରେ ଜୈନେକ ବ୍ୟକ୍ତି ନିଜକୁ ଖ୍ରୀଷ୍ଟ ଧର୍ମର ପାସ୍ଟର ସଜାଇ ଆଦିବାସୀ ଦଳିତ ଓ ଗରିବ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ହିନ୍ଦୁ ଧର୍ମରୁ ଖ୍ରୀଷ୍ଟ ଧର୍ମକୁ ପରିବର୍ତ୍ତନ କରାଉଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି । ବିଜେପି ଯୁବ ମୋର୍ଚ୍ଚା ଓ ପ୍ରାନ୍ତୀୟ ହିନ୍ଦୁ ସଂଗଠନ ସଦସ୍ୟ ଏହାକୁ ବିରୋଧ କରିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ମଶାଣିମୁଣ୍ଡା ଜିନ୍ସ ଫ୍ୟାକ୍ଟ୍ରି ନିକଟସ୍ଥ ଜୈନେକ ବ୍ୟକ୍ତି ଏକ ସରକାରୀ ଜାଗାରେ ବିରାଟ ଚର୍ଚ୍ଚ ନିର୍ମାଣ କରି ପ୍ରତି ରବିବାର ପ୍ରଭୁ ଯୀଶୁଙ୍କ ନାମରେ ସେଠାରେ ପ୍ରାର୍ଥନା ଆୟୋଜନ ଆଳରେ ନିରୀହ ଗରିବ ଲୋକଙ୍କୁ ପ୍ରଲୋଭିତ କରି ହିନ୍ଦୁ ଦେବୀ ଦେବତା ନାମର ଭୟଭୀତ କରି ଧର୍ମାନ୍ତରୀକରଣ କରୁଥିବା ଶୁଣିବାକୁ ମିଳୁଛି । ବିଭିନ୍ନ ସମୟରେ ବିଦେଶରୁ ବିଦେଶୀ ଫଣ୍ଡ ଆଣି ବିଭିନ୍ନ ଜିନିଷ ପତ୍ର ଦେଇ ଲୋକଙ୍କୁ ପ୍ରଲୋଭିତ କରିଥିବା ନେଇ ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଛି । ଆଦିବାସୀ ଅଧ୍ୟୁଷିତ ଫୁଲବାଣୀ ଓ କନ୍ଧମାଳ ଜିଲ୍ଲାରୁ ଅନେକ ଗରିବ ଆଦିବାସୀ ପିଲାଙ୍କୁ ଶିକ୍ଷା ନାମରେ ଆଣି ନିଜ ଘର କାମରେ ନିୟୋଜିତ କରୁଥିବା ନଜରକୁ ଆସୁଛି । ଉକ୍ତ ପାସ୍ଟର ଜଣକ ତହସିଲ ବିଭାଗକୁ ହାତକରି ବିଦେଶୀ ଟଙ୍କାରେ ସରକାରୀ ଜମିରେ ଅନେକ ଭଡ଼ାଘର ଓ ଦୋକାନ ଗୃହ ନିର୍ମାଣ କରିଛନ୍ତି । ଏନେଇ ବିଜେପି ଯୁବମୋର୍ଚ୍ଚା ସଭାପତି ପିଙ୍କୁ ପରିଡ଼ା ଘୋର ଆପତ୍ତି ଉଠାଇଛନ୍ତି । ଜଣେ ବ୍ୟକ୍ତି ସରକାରୀ ଜମିରେ କାହାର ଅନୁମତିରେ ଚର୍ଚ୍ଚ ନିର୍ମାଣ କଲେ? ପ୍ରତି ରବିବାର ଡାକବାଜି ଦ୍ୱାରା ପ୍ରବଚନ ଦେଉଛନ୍ତି ସ୍ଥାନୀୟ ପୁଲିସଠାରୁ ଅନୁମତି ନେଇଛନ୍ତି କି ଓ ସେ ବିଭିନ୍ନ ସମୟରେ ଲୋକଙ୍କୁ ଯେଉଁ ଜିନିଷ ପତ୍ର ବାଣ୍ଟୁଛନ୍ତି ତାର ସମ୍ପୂର୍ଣ୍ଣ ତଦନ୍ତ କରାଯାଉ ବୋଲି ସେ ପ୍ରକାଶ କରଛନ୍ତି । ଧର୍ମ ନାମରେ ଗରିବ ଓ ନିଷ୍ପେସିତ ଲୋକଙ୍କୁ ଧର୍ମାନ୍ତରୀକରଣ କରିବା ସହ ବିଦେଶୀ ଫଣ୍ଡ ଆଣି ନିଜର ପତିଆରା ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି । ତେଣୁ ଏହାର ତଦନ୍ତ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।