ଦେବଗଡ଼,ଏନ୍ଏନ୍ଏସ୍: ରଜ ଉପଲକ୍ଷେ ପିଠା, ପଣା ଓ ଦୋଳି ସାଙ୍ଗକୁ କଣ୍ଢେଇ ବାହାଘର ଆୟୋଜିତ ହେଉଛି । ଗାଁର ପ୍ରତ୍ୟେକ ଲୋକେ କଣ୍ଢେଇ ବାହାଘର ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ଏହାକୁ କଣ୍ଢେଇ ବାହାଘର କୁହାଯାଉଥିଲେ ହେଁ ଆୟୋଜନ ପ୍ରକୃତ ବାହାଘର ପରି ହୋଇଥାଏ । ଡିଜେର ଧୁମରେ ଗାଁର ଯୁବକ ଯୁବତୀ ଧୂଳି ଉଡ଼ାଇ ନାଚିଥାନ୍ତି ଏବଂ ବାହାଘର ପାଇଁ ମଣ୍ଡପ ମଧ୍ୟ ସଜା ଯାଇଥାଏ । ବରଯାତ୍ରୀଙ୍କୁ ସ୍ୱାଗତ କରାଯିବା ସହ କନ୍ୟା ପକ୍ଷରୁ ଭୋଜି ଆୟୋଜନ କରାଯାଇଥାଏ । ଏଭଳି ଦୃଶ୍ୟ ବାରକୋଟ ବ୍ଲକ ଠିଆନାଲ ଗ୍ରାମରେ ଦେଖିବାକୁ ମିଳିଛି । ଗତ ଦଶନ୍ଧି ଧରି ଏଭଳି ପରମ୍ପରା ଅନୁଷ୍ଠିତ ହୋଇଆସୁଛି । ଗାଁର ଧନୀ ହେଉକି ଗରିବ ଜାତି, ଧର୍ମ, ବର୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଏଭଳି ପରମ୍ପରା । ଚଳିତ ବର୍ଷ ଗାଁର ପ୍ରସନ୍ନ କୁମାର ସାହୁ ବର ପିତା ସାଜିଥିବାବେଳେ ଲୋକନାଥ ସାହୁ କନ୍ୟା ପିତା ଭାବେ କଣ୍ଢେଇ ବିବାହ କାର୍ଯ୍ୟ ତୁଲାଇଛନ୍ତି । ମଧ୍ୟାହ୍ନରେ ଠିଆନାଳ ଗାଁ ଉପର ସାହିରୁ କଣ୍ଢେଇ ବରଯାତ୍ରୀ ତଳ ସାହିରେ ପହଞ୍ଚିବା ପରେ ଶଙ୍ଖ ହୁଳହୁଳି ସହ କନ୍ୟା ପକ୍ଷ ସ୍ୱାଗତ କରିଥିଲେ । ହଳଦୀ ପାଣିରେ ବରପକ୍ଷଙ୍କ ଗୋଡ଼ ଧୋଇବା ସହ ପାନ, ଫୁଲରେ ବରକୁ ବନ୍ଦାପନା କରି ବିବାହ ମଣ୍ଡପକୁ ପାଛୋଟି ନେବା ପରେ ବ୍ରାହ୍ମଣ ଦ୍ୱାରା କଣ୍ଢେଇ ବିବାହ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଯୋଗଦେଇ ଗ୍ରାମବାସୀଙ୍କୁ ଉତ୍ସାହିତ କରିବା ସହ ପରମ୍ପରାକୁ ବଜାୟ ରଖିବାକୁ ଆୟୋଜକଙ୍କୁ ଆହ୍ୱାନ ଦେଇଥିଲେ ।