ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ହରିଶଙ୍କର ରୋଡ ରେଳ ଷ୍ଟେସନରୁ ଗତକାଲି ସନ୍ଧ୍ୟାରେ ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଲାଠୋର ପୁଲିସ ୨ଜଣ ମହିଳାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ମହିଳାଦ୍ୱୟ ମଧ୍ୟପ୍ରଦେଶର ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ଓ ଅନ୍ୟଜଣେ ବୃଦ୍ଧା ରହିଛନ୍ତି । ସେମାନଙ୍କ ପାଖରୁ ଜବତ କରାଯାଇଥିବା ଏକ ବ୍ୟାଗରୁ ୬ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଛି । ଅଭିଯୁକ୍ତଦ୍ୱୟ ବିଶାଖାପାଟଣା ସମତା ସୁପରଫାଷ୍ଟ ଏକ୍ସପ୍ରେସରେ ଯାଉଥିବା ସମୟରେ ପୁଲିସ ସେମାନଙ୍କୁ ପଚରାଉଚରା ବେଳେ ଯୁବତୀ ଜଣକ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ରେଲ ଧରଣାରୁ ପଥର ଉଠାଇ ମାରିବାକୁ ଉଦ୍ୟମ କରିଥିଲା । ପରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଏନେଇ ଲାଠୋର ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ ପାଟଣାଗଡ଼ କୋର୍ଟ ଚାଲାଣ କରିଛି ବୋଲି ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି ।