ଦାରିଙ୍ଗବାଡ଼ି, ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପସ୍ଥିତ ଥିବାବେଳେ ଏସପି ଶୁଭେନ୍ଦୁ ପାତ୍ର, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ରଣଜିତ, ପିଏ ଆଇଟିଡିଏ ମଧୁସୂଦନ ବେହେରା, ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର, ତହସିଲଦାର ଡା. ଅଶୋକ ଦାସ ଓ ବ୍ଲକ୍ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପ୍ରମୁଖ ଅଭିଯୋଗ ଶୁଣାଣି କରିଥିଲେ । ଏହି ଅବସରରେ ମୋଟ ୫୦ଟି ଅଭିଯୋଗ ହୋଇଥିବାବେଳେ ବ୍ୟକ୍ତିଗତ ଭାବେ ୨୩ଟି ଓ ସାମୂହିକ ଭାବେ ୨୭ଟି ଅଭିଯୋଗ ହୋଇଥିଲା । ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଡୁବୁରି, ନିଲାକ୍ଲିୟୁ ଓ ବାହାନାହ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ନିମନ୍ତେ ସରପଞ୍ଚ ଚୁମୁକି ପ୍ରଧାନ ଅଭିଯୋଗ କରିଥିଲେ । ସେହିପରି ଗୋଦାପୁର ପଞ୍ଚାୟତର ଗାନ୍ଦାରଗୁଡ଼ି ଗ୍ରାମରେ ବିଦ୍ୟୁତ୍ ସଂଯୋଗ ପାଇଁ ସରପଞ୍ଚ କୁମାରୀ ପ୍ରଧାନ ଅଭିଯୋଗ କରିଥିଲେ । ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ବ୍ରାହାଶାଲକା ଗ୍ରାମରେ କଲ୍ୟାଣୀ ମଣ୍ଡପ, ନେଟୱାର୍କ ସ୍ଥାପନ ଓ ସିଆଙ୍ଗବାଲି ଗ୍ରାମଠାରୁ କିଲାବାଡ଼ି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବା ପାଇଁ ସରପଞ୍ଚ ଆନ୍ଦ୍ରିକ ପ୍ରଧାନ ଅଭିଯୋଗ କରିଥିଲେ । ଇକୋ ରିଟ୍ରିଟ ସ୍ଥାନରେ ପଲିଥିନ ଖାଇ ଗାଈ, ଛେଳିର ମୃତ୍ୟୁ ହୋଇଥିବା ସତ୍ୱେ ଆଜିପର୍ଯ୍ୟନ୍ତ କ୍ଷତିପୂରଣ ସହାୟତା ମିଳିନଥିବା କ୍ଷତିଗ୍ରସ୍ତ ଅଭିଯୋଗ କରିଥିଲେ । ଅନ୍ୟପଟେ ବିଭାଗୀୟ ଅଧିକାରୀମାନେ ଅଭିଯୋଗ କରିବାକୁ ଆସିଥିବା ଅଭିଯୋଗକାରୀଙ୍କୁ ପ୍ରବର୍ତ୍ତାଇ ଅଭିଯୋଗ ନଦେବାକୁ କହି ଫେରାଇ ଦେଇଥିବା ଦେଖିବାକୁ ମିଳିଥିଲା ।