ଫୁଲବାଣୀ, ଦାରିଙ୍ଗବାଡି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଦନେକବଡ଼ି ଓ ସିଆଙ୍ଗବାଲି ପଞ୍ଚାୟତର ବିରାଗାଡ଼ା ଓ ପେଟେଡ଼ାବାଡ଼ି ଗ୍ରାମରେ ୟୁଥ୍ ଫର୍ ୱାଟର ପ୍ଲସ, ଜାଗୃତି, ଗ୍ରାମ ବିକାଶ ଓ ଆକ୍ସନ ଏଡ୍ ସହଯୋଗରେ ଅନ୍ତରଙ୍ଗ ଯୁବ ମହାସଂଘ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଇଛି । ଏହି ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ସଭାପତି ଦିଲ୍ଲୀପ କୁମାର ସାହୁ, ଗ୍ରାମ ବିକାଶର ଥିମାଟିକ୍ କର୍ଡିନେଟର ବିକ୍ରମ କୁମାର ପ୍ରଧାନ, ମୋନାଲିଶା ମଲ୍ଲିକ ଓ ବୁଲିଆନ ନାୟକ ଯୋଗ ଦେଇଥିବାବେଳେ ପଞ୍ଚାୟତର ବିଭିନ୍ନ ଗ୍ରାମର କିଶୋରୀ ଓ କିଶୋରମାନେ ସାମିଲ ଥିଲେ । ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ମାସିକ ଧର୍ମ ଭାବରେ ଏହି ପ୍ରକ୍ରିୟା ମହିଳାଙ୍କର ହୋଇଥାଏ । ଏହି ପ୍ରକ୍ରିୟାକୁ ଅଧିକାଂଶ ମହିଳାମାନେ ଲଜ୍ଜ୍ୟାଜନକ ଭାବି ନିଜ ଆତ୍ମୀୟ ବା ପିତାମାତା, ସାଙ୍ଗସାଥୀ ଓ ଭାଇଙ୍କୁ ପ୍ରକାଶ କରିବାରେ କୁଣ୍ଠାବଦ୍ଧ କରିଥାନ୍ତି । ଫଳରେ ଏହି ଋତୁସ୍ରାବ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ସଚେତନ ହେଉନଥିବା ପରିଲକ୍ଷିତ ହୋଇଥାଏ । ଏହି ସ୍ୱଚ୍ଛତାକୁ ନେଇ ସଚେତନତାର ଅଭାବ ଯୋଗୁ ଅନେକ ସମୟରେ ବିଭିନ୍ନ ଶାରୀରିକ ସମସ୍ୟା ଭୋଗିଥାନ୍ତି । ମାସିକ ଋତୁସ୍ରାବ ସମୟରେ ସାନିଟାରୀ ନାପକିନ ପ୍ୟାଡ ସଦବ୍ୟବହାର ନକରିବା ଏବଂ ପରିଷ୍କାର ପରିଚ୍ଛନ୍ନ ନରହିବା ମଧ୍ୟ ଅନ୍ୟ ଏକ କାରଣ ହୋଇଥାଏ । ଅଧିକାଂଶ ସମୟରେ ବିଭିନ୍ନ ପୁରାଣ କଟକଥିତକୁ ନେଇ ମହିଳାଙ୍କୁ ସମାଲୋଚନା କରିବା ଯଥା ଶିକ୍ଷା, ସ୍ୱାସ୍ଥ୍ୟ ଓ ଭାଗିଦାରିରେ ଅଣଦେଖା ବା ବାରଣ କରାଯାଉଥିବାରୁ ଝିଅମାନେ ଆଗୁଆ ହେବାରେ ବଞ୍ଚିତ ହୁଅନ୍ତି । ମୁଖ୍ୟତଃ କିଶୋରୀମାନଙ୍କୁ ବିଦ୍ୟାଳୟ ଓ ହଷ୍ଟେଲ ଗୁଡ଼ିକରେ ଏହି ବିଷୟରେ ଅଧିକ ସଚେତନ କରିବାର ଆବଶ୍ୟକତା ଅଛି ବୋଲି ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ କୁହାଯାଇଛି । ସବିତା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସୁଲୋଚନା ପ୍ରଧାନ ଧନ୍ୟବାଦ ଦେଇଥିଲେ ।