ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ଫାଣ୍ଡି ଅଧିନସ୍ଥ ଦେଓଗାଁ ଗୋଷ୍ଠୀ କେନ୍ଦ୍ର ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଟିକ୍ରାପଡ଼ା ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ ଦେଓଗାଁର ବୁଦ୍ଧଦେବ ନାଗ (୨୯) । ମିଳିଥିବା ରିପୋର୍ଟ ମୁତାବକ, ବୁଦ୍ଧଦେବ ଗତକାଲି ବିଳମ୍ବିତ ରାତିରେ କିଛି ଯୁବକଙ୍କ ସହିତ ଆସି ଆଉ ଘରକୁ ଫେରିନଥିଲେ । ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ଗାଁ ଶେଷ ମୁଣ୍ଡରେ ଥିବା ଗୋଷ୍ଠୀକେନ୍ଦ୍ର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ । ମୁଣ୍ଡରେ ଗଭୀର ଆଘାତ ମଧ୍ୟ ଲାଗିଥିଲା । ନିକଟରେ ରକ୍ତ ଛିଟା ପଥର ଥିବା ଯୋଗୁ ପଥର ଛେଚି ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଯୁବକଙ୍କ ନିକଟରେ ଏକ ହଳ ଜୋତା ପଡ଼ି ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନା ପ୍ରେମ ସମ୍ପର୍କରୁ ଏଭଳି ନିର୍ମମ ହତ୍ୟା କରାଯାଇଛି ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ସଇଁନ୍ତଲା ପୁଲିସ ଓ ବଲାଙ୍ଗିର ସାଇନଣ୍ଟିଫିକ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।