ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ୨୨ରୁ ଆରମ୍ଭ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶକ୍ରମେ ଦିବ୍ୟାଙ୍ଗଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜିତ ହେବ । ଏଥିଲାଗି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଜୀବ ଦୁବେଙ୍କ ଅଧ୍ୟକ୍ଷତାରେ ନୂତନ ଜିଲ୍ଲା କୋର୍ଟ କମ୍ଲେକ୍ସ ପରିସରରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗମାନେ କିପରି ସେମାନଙ୍କର ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ନ ହେବେ ସେନେଇ ବିଶେଷ ଭାବେ ଧ୍ୟାନ ଦେବାକୁ ଜିଲ୍ଲା ଓ ଦୌରାଜଜ ଶ୍ରୀଯୁକ୍ତ ଦୁବେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜନକ ରାଉତ, ଡା. ନବକିଶୋର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ କୁମାର ପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଆଶା କିରଣର ଅଧ୍ୟକ୍ଷ ଜଗନ୍ନାଥ ବେହେରା ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାର ଦିବ୍ୟାଙ୍ଗମାନେ ଏହି ଅଭିଯାନର ସୁଯୋଗ ନେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଡିଡିଆରଓ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ନବରଙ୍ଗପୁର ଓ ପାରାଲିଗାଲ ସ୍ୱେଚ୍ଛାସେବୀଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ରାଉତ କହିଛନ୍ତି । ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସହ ତୁରନ୍ତ ଯୋଗାଯୋଗ କରିବାକୁ କୁହାଯାଇଛି ।