ଜୁନ ୧ରୁ ସମୂହ ଛୁଟିରେ ଯିବେ ଜିଲ୍ଲାସ୍ତରୀୟ ଅମଲା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଓଡ଼ିଶାର ଅଧ୍ୟକ୍ଷ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦାବୀ ପୂରଣ ନହେଲେ ଆସନ୍ତା ଜୁନ ୧ ତାରିଖରୁ ସମସ୍ତ ଜିଲ୍ଲାସ୍ତରୀୟ ଅମଲା ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରକାଶଥାଉ କି, ଜିଲ୍ଲାସ୍ତରୀୟ ଅମଲାଙ୍କ ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ଦୀର୍ଘ ବର୍ଷ ହେବ ରାଜ୍ୟ ସରକାରଙ୍କ ଅବହେଳା ଓ ବୈମାତୃକ ମନୋଭାବ ଉପରେ ଘୋର ଅସନ୍ତୋଷ ଲାଗି ରହିଥିଲା । ରାଜ୍ୟ ସରକାର ୨୦୧୭ ମସିହାରୁ ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ପରୀକ୍ଷା, ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରିନାହାନ୍ତି । ଏନେଇ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ସମ୍ଭବାପନ୍ନ ଅମଲା ସଂଘଙ୍କ ପକ୍ଷରୁ ପତ୍ରାଳପ ସହ ବିଭିନ୍ନ ସ୍ତରରେ ଆଲୋଚନା ହୋଇସାରିଛି । କିନ୍ତୁ ଉପରୋକ୍ତ ସମସ୍ତ ଆଲୋଚନା ଫଳଶୂନ୍ୟ ହୋଇଛି । ଏହାର ପ୍ରତିବାଦରେ ଆଜିର ବୈଠକରେ ଆଉ ଆଲୋଚନା ନୁହେଁ, ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜରିଆରେ ଦାବୀ ହାସଲ କରିବାକୁ ହେବ ବୋଲି ମତ ପ୍ରକାଶ ପାଇଥିଲା । ଯଦି ମେ’ ୨୧ ତାରିଖ ସୁଦ୍ଧା ରାଜ୍ୟ ସରକାର ଜିଲ୍ଲାସ୍ତରୀୟ ଅମଲାଙ୍କର ଦାବୀ ପୂରଣ ନ କରନ୍ତି ତେବେ ମେ’ ୨୨ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାସ୍ତରୀୟ ଅମଲାମାନେ ମେ’ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତଥାପି ରାଜ୍ୟ ସରକାର ଜିଲ୍ଲାସ୍ତରୀୟ ଅମଲାଙ୍କ ଦାବୀ ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଜୁନ ମାସ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।