ଭଗବାନଙ୍କ ଭରସାରେ କେସିଙ୍ଗା ଟ୍ରାଫିକ ବ୍ୟବସ୍ଥା, ରାଜରାସ୍ତାରେ ଉଠା ଦୋକାନୀ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: ଦିନକୁଦିନ ଜନସଂଖ୍ୟା ବୃଦ୍ଧି ସହ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଟ୍ରାଫିକ ସମସ୍ୟା ସଙ୍ଗୀନ ହେଉଥିବାବେଳେ ନିୟନ୍ତ୍ରଣ କରିବାରେ ପୁଲିସ ଓ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ବିଫଳ ହେଉଥିବା ଅଭିଯୋଗ ହେଉଛି । ୩୦ହଜାର ଜନସଂଖ୍ୟା ବିଶିଷ୍ଟ କେସିଙ୍ଗା ସହରରେ ପଡ଼ୋଶୀ ବଲାଙ୍ଗୀର ଜିଲ୍ଲାର ନର୍ଲା ଓ କର୍ଲାମୁଣ୍ଡା ବ୍ଲକର ହଜାର ହଜାର ଲୋକ ସିଧାସଳଖ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭର କରି ଆସୁଛନ୍ତି । ଅନ୍ୟପଟେ କେସିଙ୍ଗା ସହର ମଧ୍ୟ ଭାଗ ଦେଇ ଜାତୀୟ ରାଜପଥ ୨୬ ଯାଇଥିବାବେଳେ କେସିଙ୍ଗା ରେଳ ଷ୍ଟେସନ ଦୂରଦୂରାନ୍ତ ଯିବା ସୁବିଧା ଥିବାରୁ ସବୁବେଳେ ଭିଡ଼ ଜମି ରହୁଛି । ଜାତୀୟ ରାଜପଥ ୨୬ରେ ଅନେକ ଶିଳ୍ପାଞ୍ଚଳ ନିର୍ଭର କରୁଥିବାବେଳେ ଅନେକ ପ୍ରମୁଖ ସହରକୁ ସିଧାସଳଖ ଏହି ରାଜପଥ ସଂଯୋଗ କରୁଥିବାରୁ ଦୈନିକ ହଜାର ହଜାର ଯାନବାହନ ଏହି ରାଜରାସ୍ତାରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ହେଲେ ପ୍ରଶାସନର ବେପରୁଆ ଓ ଖାମଖିଆଲ ନୀତି ଯୋଗୁ ରାସ୍ତା ଉପରେ ଜଳଖିଆ ଓ ଫାଷ୍ଟଫୁଡ଼ ଦୋକାନୀ ମାଡ଼ି ବସିବା ସହ ଗ୍ରାହକଙ୍କ ଯାନବାହନ ରାଜରାସ୍ତାକୁ ଆହୁରି ସଙ୍କୁଚିତ କରୁଛି । ସେଥିପାଇଁ ସବୁବେଳେ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଥିସହିତ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କ ପାର୍କିଂ ସ୍ଥଳ ନଥିବାବେଳେ ଯାତ୍ରୀବାହୀ ବସ ରାସ୍ତାର ଉଭୟ କଡ଼ରେ ମାଲ ଲୋଡିଙ୍ଗ ଅନଲୋଡିଙ୍ଗ ଟ୍ରାଫିକ ସମସ୍ୟାକୁ ଆହୁରି ଜଟିଳ କରୁଛି । ଏନେଇ ଏନଏସି ପ୍ରଶାସନ, ପୁଲିସ ଓ ପରିବହନ ବିଭାଗକୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଫଳରେ ଭଗବାନଙ୍କ ଭରସାରେ କେସିଙ୍ଗା ଟ୍ରାଫିକ ବ୍ୟବସ୍ଥା ଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।