କେନ୍ଦୁଝର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବୁଧବାର ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି । ମୁଖ୍ୟ ଶାସନ ସଚିବ କେନ୍ଦୁଝର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ “ଆମ କଳିକା କେନ୍ଦ୍ର”କୁ ପ୍ରଶଂସା କରିବା ସହିତ ଶିଶୁ ତଥା ମାତୃକଲ୍ୟାଣ ଦିଗରେ ଏହା ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ।
ନିଜର ଦିନିକିଆ ଗସ୍ତରେ ପ୍ରଦୀପ ଜେନା ଧରଣୀଧର ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବା ସହ କ୍ୟାମ୍ପସ୍ ବୁଲି ଶୈକ୍ଷିକ ପରିବେଶ ଅନୁଧ୍ୟାନ କରିଥିଲେ । ଛାତ୍ରଛାତ୍ରୀଙ୍କ ସହିତ ବାର୍ତ୍ତାଳାପ କରି ଶିକ୍ଷାର ସଦୁପଯୋଗ କରି ଭବିଷ୍ୟତରେ ଉତ୍କର୍ଷତା ହାସଲ କରିବାକୁ ଚେଷ୍ଟା କରିବା ନିମନ୍ତେ ଆହ୍ଵାନ ଜଣାଇଥିଲେ । ଭୂତତ୍ଵ ବିଭାଗର ଶିକ୍ଷାର୍ଥୀଙ୍କ ସାଙ୍ଗରେ ଆଲୋଚନା ସମୟରେ କେନ୍ଦୁଝର ଜିଲ୍ଲାରେ ଭୂତତ୍ଵ ବିଜ୍ଞାନ ସଂପର୍କରେ ଜ୍ଞାନ ଆହରଣ ପାଇଁ ଭରପୁର ଉତ୍ସ ରହିଛି ଏବଂ ଏହାର ସୁଯୋଗ ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
ଏହାପରେ ମୁଖ୍ୟ ଶାସନ ସଚିବ ଡିଏମଏଫ ଅନୁଦାନରେ ପୁରୁଣା ବଜାରଠାରେ ନବୀକୃତ ଗୋପାଳଜୀଉ ପାଠାଗାରର ଉଦ୍ଘାଟନ କରିଥିଲେ । ଏହି ପାଠାଗାର କେନ୍ଦୁଝର ଜିଲ୍ଲାର ମହାନ ସଂସ୍କୃତିରେ ଉଜ୍ଜ୍ବଳ ସ୍ବାକ୍ଷର ବହନ କରିବ ବୋଲି କହିଥିଲେ । ଏହାପରେ ସେ ସଦର ବ୍ଲକ ଅନ୍ତଗତ ମୁକୁନା ଗ୍ରାମ ପରିଦର୍ଶନ କରି ସେଠାରେ କୃଷି ଉତ୍ପାଦନ ଗୋଷ୍ଠୀ ( ଏ.ପି.ସି. ) ଦ୍ଵାରା କରାଯାଇଥିବା ପରିବା ଚାଷ ବୁଲି ଦେଖିଥିଲେ । ଏହି ଅବସରରେ ମହିଳା ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ । ମହିଳା ଚାଷୀମାନେ ପାଉଥିବା ଲାଭ ସଂପର୍କରେ ଅବଗତ ହୋଇ ଆଗାମୀ ବର୍ଷମାନଙ୍କରେ କିପରି ଲାଭକୁ ବହୁଗୁଣିତ କରିପାରିବେ ସେଥିପାଇଁ ସେମାନେ ଯୋଜନାବଦ୍ଧ ଭାବେ ପରିବା ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ ।