ଆଜିଠୁ ବିଶ୍ବ ବୌଦ୍ଧ ସମ୍ମିଳନୀ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜିଠୁ ବିଶ୍ବ ବୌଦ୍ଧ ସମ୍ମିଳନୀ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦୁଇ ଦନ ଧରି ଚାଲିବ । ପୂର୍ବାହ୍ନ ୧୦ଟାରୁ ଦିଲ୍ଲୀର ଅଶୋକ ହୋଟେଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଦୁଇଦିନିଆ କାର୍ଯ୍ୟକ୍ରମରେ ୩୦ଟି ରାଷ୍ଟ୍ର ଯୋଗ ଦେବେ । ଅନ୍ତର୍ଜାତୀୟ ବୌଦ୍ଧ ସଂଘ (ଆଇବିସି) ସହଯୋଗରେ ସଂସ୍କୃତି ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି । ‘ରେସପନ୍ସ ଟୁ କଣ୍ଟେମ୍ପରାରି ଚ୍ୟାଲେଞ୍ଜ’ ବିଶ୍ବ ବୌଦ୍ଧ ସମ୍ମିଳନୀରେ ବିଷୟବସ୍ତୁ ରହିଛି ।

ଭାରତର ଆମନ୍ତ୍ରଣରେ ବିଶ୍ବର ୩୦ଟି ରାଷ୍ଟ୍ରରୁ ବୌଦ୍ଧ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହ ମିଶି ଆଇବିସି ଏହି କାର୍ଯ୍ୟକ୍ରମ କରୁଛି । ସାଂସ୍କୃତିକ କ୍ଷେତ୍ରରେ ବିଶ୍ବରେ ଅନ୍ୟ ଦେଶ ସହ ସମ୍ପର୍କ ମଜଭୁତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ତିଦ୍ଦତ ଧର୍ମଗୁରୁ ଦଳାଇଲାମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା, ଥାଇଲାଣ୍ଡ, ଭିଏତନାମ, ଦକ୍ଷିଣ କୋରିଆ, ଜାପାନ, ମେକ୍ସିକୋ ଓ ମିଆଁମାରର ପ୍ରତିନିଧି ଦଳ ଯୋଗ ଦେବେ । ବୌଦ୍ଧ ଧାମ ଓ ଶାନ୍ତି, ଜଳବାୟୁ ସଙ୍କଟ, ସ୍ବାସ୍ଥ୍ୟ ଓ ସ୍ଥିରତା, ନାଳନ୍ଦା ବୁଦ୍ଧିଷ୍ଟ ପରମ୍ପରା ସଂରକ୍ଷଣ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ତିଦ୍ଦତୀୟ ବୌଦ୍ଧ ଧର୍ମର ଆମେରିକୀୟ ବିଶେଷଜ୍ଞ ପ୍ରଫେସର ରୋବର୍ଟ ଥୁରମାନ ଏବଂ ଭିଏତନାମ ବୌଦ୍ଧ ସଂଘର ଥିଚ ଟ୍ରି କ୍ବାଙ୍ଗ ରହିବେ । ଫ୍ରଫେସର ରୋବର୍ଟ ଥୁରମାନ ୨୦୨୦ରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ଭାରତର ପ୍ରାଚୀନ ବୌଦ୍ଧ ଐତିହ୍ୟର ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ ରୋବର୍ଟ ଥୁରମାନ । ବୌଦ୍ଧ ଧର୍ମର ମୌଳିକ ମୂଲ୍ୟବୋଧ କିପରି ମାର୍ଗଦର୍ଶନ ପ୍ରଦାନ କରିବ ସେ ଦିଗରେ ଏହି ସମ୍ମିଳନୀରେ ଆଲୋଚନା ହେବ । ବିଶେଷ କରି ୪ଟି ବିଷୟ ଉପରେ ସମ୍ମିଳନୀରେ ଆଲୋଚନା ହେବ । ବୌଦ୍ଧ ଧାମ ଏବଂ ଶାନ୍ତି, ବୌଦ୍ଧ ଧାମ ପରିବେଶ ସମ୍ବଦ୍ଧୀୟ ସମସ୍ୟା, ସ୍ବାସ୍ଥ୍ୟ, ନାଳନ୍ଦା ବୌଦ୍ଧ ପରିମ୍ପରାର ସଂରକ୍ଷଣ, ବୁଦ୍ଧ ଧାମ ତୀର୍ଥଯାତ୍ରା । ଗଣମାଧ୍ୟମକୁ ସୂଚନା ଦେଇ ଆଇବିସି ସଭାପତି ଅଭିଜିତ ହଳଦର କହିଛନ୍ତି, ”ଏହି ସମ୍ମିଳନୀ ଏକ ଏକାଡେମିକ ଅସ୍ତ୍ର ହେବ । ଏକାଡେମିକ ଜଗତର ଲୋକ ଏଥିରେ ଅଂଶଗ୍ରହଣ କରିବେ ।