ମୋଦୀଙ୍କୁ ଭେଟିଲେ କୁକ୍‌, କହିଲେ ଭାରତରେ କରିବେ ନିବେଶ

ନୂଆଦିଲ୍ଲୀ,ଏଜେନ୍ସି: ନିକଟରେ ବିଶ୍ବର ସବୁଠୁ ଦାମୀ କମ୍ପାନୀ ଆପଲ୍ ଭାରତରେ ଗୋଟିଏ ଷ୍ଟୋର ଖୋଲିଛି । ଏହାରି ଭିତରେ ଗତକାଲି(ବୁଧବାର) ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଆପଲ୍ ସିଇଓ ଟିମ୍ କୁକ୍ । ତେବେ ସାରା ଦେଶରେ ନିବେଶ କରିବା ପାଇଁ ଆପଲ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି କୁକ ।

ଏନେଇ ସିଇଓ ଟିମ କୁକ ମଧ୍ୟ ମୋଦୀଙ୍କ ସହ ନିଜର ଏକ ଫଟୋକୁ ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି, “ମୋତେ ଭବ୍ୟ ସ୍ବାଗତ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ । ଭାରତର ଭବିଷ୍ୟତ ଉପରେ ପ୍ରଯୁକ୍ତିର ପ୍ରଭାବ ନେଇ ଆପଣଙ୍କ ସହ ଆମେ ଏକମତ ଅଛୁ । ଭାରତର ରୂପାନ୍ତରଣରେ ଟେକ୍ନୋଲୋଜିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶରେ ଉନ୍ନତି ଏବଂ ନିବେଶ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ।”

ଆପଲର ସିଇଓ ଭାବରେ ମୋଦୀଙ୍କ ସହ କୁକଙ୍କର ଏହା ଦ୍ୱିତୀୟ ସାକ୍ଷାତ ଥିଲା । ଏହାପୂର୍ବରୁ ସେ ୨୦୧୬ ମସିହାରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଜାତୀୟ ରାଜଧାନୀରେ ଆପଲର ପ୍ରଥମ ଷ୍ଟୋର ଉଦଘାଟନ କରିବାକୁ କୁକ୍ ଦିଲ୍ଲୀରେ ଅଛନ୍ତି। ଆଜି (ଗୁରୁବାର) ଦିନ ସେ ଦିଲ୍ଲୀର ସାକେତରେ ଆପଲ୍ ଷ୍ଟୋର୍‌ର ଉଦଘାଟନୀ ଉତ୍ସବରେ ଯୋଗଦେବେ । ଏହାପୂର୍ବରୁ ମଙ୍ଗଳବାର ଦିନ ସେ ମୁମ୍ବାଇରେ ଭାରତରେ ଆପଲର ପ୍ରଥମ ଷ୍ଟୋର୍‌ର ଉଦଘାଟନ କରିଥିଲେ ।

ତେବେ କୁକଙ୍କ ଭାରତ ଗସ୍ତ ଏବଂ ଆପଲ ଷ୍ଟେର ଖୋଲିବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ । ଆପଲ ହେଉଛି ବିଶ୍ବର ଦ୍ବିତୀୟ ସର୍ବବୃହତ ବଜାର । ଭାରତରେ ଚୀନ ନିର୍ମିତ ଫୋନର ପତିଆରା ଭାରତରେ ରହିଥିବା ବେଳେ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସହାୟ ହୋଇଛି । ତେବେ ଏଭଳି ସ୍ଥିତିରେ ସମ୍ପ୍ରସାରଣ ଯୋଜନା କ୍ଷେତ୍ରରେ ଭାରତକୁ ପ୍ରଥମ ସ୍ଥାନରେ ରଖିଛି ।