ବେପରୁଆ ଗାଡି ଚଳାଇବାର ଭୟଙ୍କର ପରିଣାମ, ଆଖିଆଗରେ ଚାଲିଗଲା ୩ ଜୀବନ

ନିଶ୍ଚିନ୍ତକୋଇଲି,ଏନ୍ଏନ୍ଏସ୍: ନିଶ୍ଚିନ୍ତକୋଇଲି ବ୍ଲକ୍ କଟକ-ଚାନ୍ଦବାଲି ରାସ୍ତାର କେନ୍ଦୁପାଟଣା ଛକ ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ୩ଜଣ ଜଣକ ଯୁବକ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ସାଲେପୁର ଥାନା ନାନ୍ଦୋଳ ଗ୍ରାମର ଶେକ୍ ହାଫିଜ୍(୨୨), ଶେକ୍ ରିହାନ୍(୨୩) ଓ ଶେକ୍ ଫରାଜଉଦ୍ଦିନ୍(୨୪)। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସୂଚନାନୁଯାୟୀ, ରାତି ପ୍ରାୟ ୮ଟାବେଳେ କେନ୍ଦୁପାଟଣା ବିୟର୍ ବାର୍ ନିକଟରେ ଏକ ୧୦ ଚକିଆ ଟ୍ରକ୍ ଠିଆ ହୋଇଥିଲା। ଏହି ସମୟରେ ବାଇକ୍(ଓଡି-୦୫-୪୩୭୨)ରେ ୩ଜଣ ଯୁବକ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ସାଲେପୁର ଅଭିମୁଖେ ଯାଉଥିଲେ। ବେପରୁଆ ଓ ଦ୍ରୁତଗତିରେ ବାଇକ୍ ଗାଡ଼ି ହେତୁ ବାଇକ୍ଟି ରାସ୍ତାକଡ଼ରେ ଠିଆ ହୋଇଥିବା ୧୦ ଚକିଆ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଟ୍ରକ ଟି ଦ୍ରୁତଗତିରେ କଟକ ଆଡ଼କୁ ଚାଲିଯାଇଥିଲା।

ସ୍ଥାନୀୟ ଲୋକେ ଚିତ୍କାର ଶୁଣି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେମାନେ ସାଲେପୁର ଦମକଳ ବାହିନୀ ଓ ପୁଲିସ ସହାୟତାରେ ଗୁରୁତର ୩ ଯୁବକଙ୍କୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠରେ ଡାକ୍ତର ସମସ୍ତ ୩ ବାଇକ୍ ଆରୋହୀଙ୍କୁ ମୃତ ଘୋଷଣା କରିଥିଲେ। ସାଲେପୁର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ମେଡିକାଲ ପଠାଇଛି। ଏ ନେଇ ସାଲେପୁର ଥାନାରେ ଏକ ମାମଲା ରୁଜୁ ହୋଇଛି।