ଭୂତ କିମ୍ବା ପ୍ରେତର ପ୍ରମାଣ ଦେଲେ ମିଳିବ ୫୦ ହଜାର ଟଙ୍କା ପୁରସ୍କାର

ଛତ୍ରପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲାରେ ଭୂତ, ପ୍ରେତ, ଗୁଣିଗାରେଡ଼ିକୁ ନେଇ ଜନସାଧାରଣଙ୍କ ମନରେ ଅହେତୁକ ଆବେଗ ରହୁଛି। କିନ୍ତୁ ଏହା ଏକ ମନଗଢ଼ା କାହାଣୀ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିବା ସହ ଏହାର ସତ୍ୟତା ପ୍ରମାଣ କରିଦେଲେ ପ୍ରଶାସନ ପକ୍ଷରୁ ୫୦ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କହିଛନ୍ତି। ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତରଖାନା ନ ଯାଇ ଗୁଣି ଗାରେଡ଼ି ପ୍ରତି ଆଗ୍ରହ ଦେଖାଉଛନ୍ତି। କାହାର କିଛି ପାରିବାରିକ ଅସୁବିଧା ହେଲେ ପାଖ ପଡ଼ିଶା ଗୁଣି କରିଦେଇଛି ବୋଲି ଭ୍ରାନ୍ତ ଧାରଣା ନେଇ ଗଣ୍ଡଗୋଳର ସୂତ୍ରପାତ ହେଉଛି ଏବଂ ବେଳେବେଳେ ହତ୍ୟାକାଣ୍ଡ ମଧ୍ୟ ଘଟିଯାଉଛି।

ଲୋକମାନେ ନିଜର ସମ୍ପତ୍ତି ବୃଦ୍ଧି ଓ ପାରିବାରିକ ଅଶାନ୍ତି ଦୂର କରିବା, ପରିବାର ଲୋକଙ୍କ ରୋଗ ଭଲ କରିବା ପାଇଁ ଗୁଣିଆର ଦ୍ୱାରସ୍ଥ ହେଉଛନ୍ତି। ଗୁଣିଆର ପ୍ରରୋଚନାରେ କେତେଜଣ ନିଜର ଜ୍ଞାତି କୁଟୁମ୍ବଙ୍କୁ ମଧ୍ୟ ବଳି ଦେଉଛନ୍ତି। ବିଜ୍ଞାନ ସମ୍ମତ ଭାବରେ ଏହା ଏକ ରୋଗ। ଏପରି ରୋଗୀକୁ ଚିକିତ୍ସା ନକରି ଲୋକମାନେ ଗୁଣିଆର ଦ୍ୱାରସ୍ଥ ହେଉଛନ୍ତି। ଗୁଣିଆ ମଧ୍ୟ ବିଭିନ୍ନ ମନଗଢ଼ା କଥା କହି ଲୋକଙ୍କୁ ବିଭ୍ରାନ୍ତ କରିବା ସହିତ ଆର୍ଥିକ ଶୋଷଣ କରୁଛନ୍ତି।

ଗୁଣିଗାରେଡ଼ିକୁ ଗୁରୁତ୍ୱ ନ ଦେବା ଏବଂ ଏ ବାବଦରେ ଅନ୍ୟକୁ ଦୋଷାରାପ ନ କରିବା ପାଇଁ ଜିଲ୍ଲାରେ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏଥିରେ ମଧ୍ୟ ଜନସାଧାରଣଙ୍କ ଭ୍ରାନ୍ତ ଧାରଣା ଦୂର ହେଉନାହିଁ। ମୋବାଇଲ୍‍ ମେସେଜ୍‍ ମାଧ୍ୟମରେ ଜିଲ୍ଲା କର୍ମକର୍ତ୍ତାଙ୍କ ପାଖକୁ ଗୁଣି ଗାରେଡ଼ି ବାବଦରେ ଖବର ପହଞ୍ଚୁଛି। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗୁଣିଗାରେଡ଼ି ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆଗତ ହେଉଛି।

ଭୂତ ପ୍ରେତ ଗୁଣିଗାରେଡ଼ିର କୌଣସି ସତ୍ୟାସତ୍ୟ ଖବର ଜାଣିବା ପାଇଁ ଜିଲ୍ଲା ଅଧିକାରୀ ବିଭିନ୍ନ ସ୍ତରରେ ଅନୁସନ୍ଧାନ କରି ଏହାର ବାସ୍ତବତା କିଛି ନଥିବା ହୃଦୟଙ୍ଗମ କରୁଛନ୍ତି। ଜିଲ୍ଲାପାଳ କୁଲାଙ୍ଗେ ବ୍ୟକ୍ତିଗତ ଭାବରେ ଏପରିସି୍ଥତିର ସମ୍ମୁଖୀନ ହୋଇ ଜିଲ୍ଲାବାସୀଙ୍କୁ ପ୍ରାମାଣିକ ତଥ୍ୟ ଦେବାପାଇଁ ଗୁଣିଗାରେଡ଼ି ଭୂତପ୍ରେତ ବାବଦରେ ଜିଲ୍ଲାର କୌଣସି ବ୍ୟକ୍ତି ବଳିଷ୍ଠ ପ୍ରମାଣ ଦେଇପାରିଲେ ତାଙ୍କୁ ୫୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।