ବିପୁଳ କଫ ସିରପ ଜବତ, ଦୋକାନକୁ କରାଗଲା ସିଲ୍

ଅନୁଗୁଳ,ଏନ୍ଏନ୍ଏସ୍: ବେଆଇନ ଭାବେ କଫ ସିରପ ବିକ୍ରି କରୁଥିବା ଅଭିଯୋଗରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ପୁଲିସ ସ୍ଥାନୀୟ ଲକ୍ଷ୍ମୀବଜାର ଠାରେ ଥିବା ଏକ ଔଷଧ ଦୋକାନ ଉପରେ ଚଢ଼ଉ କରି ୫୪୦ ବୋତଲ କଫ ସିରପ ଜବତ କରିବା ସହ ଦୋକାନ ମାଲିକଙ୍କୁ ଗିରଫ କରିଥିବା ଜଣାଯାଇଛି। ତତସହିତ ଔଷଧ ଦୋକାନକୁ ପୁଲିସ ସିଲ କରିଦେଇଛି। ଘଟଣାରୁ ପ୍ରକାଶ ଯେ, ଅନୁଗୁଳ ଲକ୍ଷ୍ମୀବଜାର ଠାରେ ଥିବା ସରସ୍ୱତୀ ମେଡିସିନ ଷ୍ଟୋରରେ ବେଆଇନ ଭାବେ କଫ ସିରପ୍ ବିକ୍ରି କରାଯାଉଥିବା ନେଇ ଅନୁଗୁଳ ଥାନା ଆଇଆଇସି ରମେଶ ବିଶୋଇ କୌଣସି ସୂତ୍ରରୁ ଖବର ପାଇଥିଲେ।

ତାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ସତ୍ୟରଞ୍ଜନ ଲେଙ୍କା ସଦଳବଳେ ଉକ୍ତ ଦୋକାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ଡ୍ରଗ ଇନସ୍ପେକ୍ଟରଙ୍କ ଉପସ୍ଥିତିରେ ଏସ୍ଆଇ ଶ୍ରୀ ଲେଙ୍କା ୧୦୦ ମିଲିଲିଟର ବିଶିଷ୍ଟ ୪୯୦ ବୋତଲ ଏସକପ କଫ ସିରପ୍ ଏବଂ ୧୦୦ ଏମଏଲର ୫୦ ବୋତଲ କଫ ସିରଫ ଜବତ କରିଥିଲେ। ତତ୍ ସହିତ ଦୋକାନ ମାଲିକ ପବିତ୍ର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଦୋକାନକୁ ସିଲ କରିଥିବା ଜଣାଯାଇଛି।