ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରତ୍ୟୁଷରେ ବିହାର ଏବଂ ପଶ୍ଚିମବଙ୍ଗରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି। ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ରିପୋର୍ଟ ଅନୁସାରେ, ଆଜି ସକାଳ ପ୍ରାୟ ୫.୩୫ରେ ବିହାରର ଅରରିୟା ଜିଲ୍ଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ଉତ୍ପତ୍ତିସ୍ଥଳ ଥିଲା ପୁର୍ଣ୍ଣିଆ ନିକଟ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ। ଏହି ଭୂମିକମ୍ପ ଯୋଗୁଁ ଧନସମ୍ପତ୍ତି କ୍ଷୟକ୍ଷତି କିଂବା କେହି ମୃତାହତ ହୋଇଥିବା ଖବର ହସ୍ତଗତ ହୋଇନାହିଁ।
ସେହିପରି, ଆଜି ପ୍ରତ୍ୟୁଷରେ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ମଧ୍ୟ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା ରିପୋର୍ଟ ମିଳିଛି। ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ରିପୋର୍ଟ ଅନୁସାରେ, ଏହି ଭୂମିକମ୍ପ ସିଲିଗୁଡ଼ିର ଦକ୍ଷିଣପଶ୍ଚିମକୁ ପ୍ରାୟ ୧୪୦ କିଲୋମିଟର୍ ଦୂରରେ ଅନୁଭୂତ ହୋଇଥିଲା। ଏଥିରେ ବି କୌଣସି ଧନଜୀବନ ନଷ୍ଟ ହୋଇଥିବା ରିପୋର୍ଟ ମିଳିନାହିଁ।