‌ଆଜି ସିଏସ୍‌କେ ସ୍ପିନ୍‌ ବନାମ ରୟାଲ୍ସ ବ୍ୟାଟର୍‌

ଚେନ୍ନାଇ,ଏଜେନ୍ସି: ଚଳିତ ଆଇପିଏଲ୍‌ରେ ଫର୍ମରେ ଥିବା ରାଜସ୍ଥାନ ରୟାଲ୍ସର ଓପନିଂ ଯୋଡ଼ି ଜୋସ ବଟଲର ଓ ଯଶସ୍ବୀ ଜୟସ୍ବାଲ ବୁଧବାର ଚେନ୍ନାଇର ଚେପକ ପିଚ୍‌ରେ ସ୍ପିନ୍‌ ପରୀକ୍ଷାର ସମ୍ମୁଖୀନ ହେବେ। ଏହି ଯୋଡ଼ି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌ଏକେ) ବିପକ୍ଷ ବୁଧବାର ମ୍ୟାଚ୍‌ରେ ଏହାର ସ୍ପିନ୍ ତ୍ରିମୂର୍ତ୍ତିଙ୍କୁ କିପରି ମୁକାବିଲା କରିବେ ତାହା ଦେଖିବାର ଅଛି। ଇଂଲଣ୍ଡ ଧଳା ବଲ୍‌ ଅଧିନାୟକ ବଟଲର ୧୬୪.୪୭ ଓ ଭାରତୀୟ ଯୁବ ତାରକା ଜୟସ୍ବାଲ ୧୮୦.୮୫ ଷ୍ଟ୍ରାଇକ୍‌ରେଟ୍‌ରେ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି। ରାଜସ୍ଥାନ ରୟାଲ୍ସ ୩ ମ୍ୟାଚ୍‌ ଖେଳି ୨ଟି ଜିତିଛି।

ଅନ୍ୟପକ୍ଷରେ ୩ ମ୍ୟାଚ୍‌‌ ଖେଳିଥିବା ଚେନ୍ନାଇ ପ୍ରଥମ ମ୍ୟାଚ୍‌ ହାରିବା ପରେ ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛି। ୩ ଜଣ ଅଭିଜ୍ଞ ସ୍ପିନର ମୋଇନ ଅଲୀ, ରବୀନ୍ଦ୍ର ଜାଦେଜା ଓ ମିଚେଲ ସାଣ୍ଟନର ମିଶି ୧୧ ୱିକେଟ୍‌ ଦଖଲ କରିଛନ୍ତି। ଏମାନଙ୍କ ଇକୋନୋମି ମଧ୍ୟ ଭଲ ରହିଛି। ମୋଇନଙ୍କ ଇକୋନୋମି ୬.୫୦ ରହିଥିଲା ବେଳେ ଜାଦେଜାଙ୍କ ୬.୮୮ ଓ ସାଣ୍ଟନରଙ୍କ ୬.୭୫ ରହିଛି। ଗତ ମ୍ୟାଚ୍‌ରେ ଫୁଡ୍‌ ପଏଜନିଂ ପାଇଁ ମୋଇନ ଖେଳିପାରିନଥିଲେ। କିନ୍ତୁ ବୁଧବାର ସେ ଖେଳିବାର ସମ୍ଭାବନା ରହିଛି। ତାଙ୍କ ସ୍ଥାନରେ ସିସାନ୍ଦା ମଗାଲା ଖେଳିଥିଲା ବେଳେ ଫିଟ୍‌ ନଥିବା ‌ବେନ୍‌ ଷ୍ଟୋକ୍ସଙ୍କ ଜାଗା ପୂରଣ କରିଥିଲେ ଅଲ୍‌ରାଉଣ୍ଡର ଡ୍ବାନ୍‌ ପ୍ରିଟୋରିଅସ। ସ୍ପିନ୍‌କୁ ସୁହାଉଥିବା ଚେପକ୍‌ରେ ମୋଇନ, ଜାଦେଜା ଓ ସାଣ୍ଟନର କମାଲ କଲେ ରୟାଲ୍ସ ବ୍ୟାଟର୍‌ଙ୍କୁ ଅଟକାଇବାକୁ ସକ୍ଷମ ହେବ ସିଏସ୍‌କେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଗତ ମ୍ୟାଚ୍‌ରେ ଅଜିଙ୍କ୍ୟ ରାହାଣେଙ୍କ ବିସ୍ଫୋରକ ପାଳି ସହ ସ୍ପିନର ଜାଦେଜା ଓ ସାଣ୍ଟନରଙ୍କ ବୋଲିଂ ଯୋଗୁଁ ସିଏସ୍‌କେ ବିଜୟୀ ହୋଇଥିଲା। ଋତୁରାଜ ଗାଏକ୍ବାଡଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି।