ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ନିକଟରେ ଥିବା ଚିଙ୍ଗେରବନ୍ଧ ଗ୍ରାମରେ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକେଲ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ହୁର୍ଷି ପଟେଲ (୫୫) । ମିଳିଥିବା ରିପୋର୍ଟ ମୁତାବକ, ହୁର୍ଷି ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ଚିଙ୍ଗେରବନ୍ଧକୁ ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଗୋଡ଼ରେ ଶକ୍ତ ଆଘାତ ଲାଗିଥିଲା । ଫଳରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ପାଟଣାଗଡ଼ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ଖବର ପାଇ ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ତୁରନ୍ତ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀଙ୍କୁ ଡାକ୍ତରଖାନା ପଠାଇ ଉକ୍ତ ପରିବାରକୁ ରେଡକ୍ରସ ତରଫରୁ ୫ହଜାର ଟଙ୍କା ସାହାଯ୍ୟ ପ୍ରଦାନ କରିଛନ୍ତି ।