ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଗ୍ରାମସ୍ଥିତ ମା’ ତାରେଣୀ ପୀଠରେ ଆଜି ବାର୍ଷିକ ତାରେଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ ଟିକିରାନାଳ ଜଗନ୍ନାଥ ଘାଟରେ ଗ୍ରାମର ମା’ମାନେ ଏକତ୍ରିତ ହୋଇ କଳସରେ ଜଳ ଭର୍ତ୍ତି କରିବା ପରେ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ତଥା ସଂସାର ମଙ୍ଗଳ ନିମନ୍ତେ ତାରେଣୀ ପୀଠରେ କଳସ ସ୍ଥାପନ କରିଥିଲେ । କଳସ ଯାତ୍ରାରେ ମାଛକୁଟା ଗ୍ରାମର ଘଣ୍ଟବାଦ୍ୟ, ରତନପୁର, ଖଣ୍ଡାଧୁଆଁ, ଖଳିପସି ଓ କୁଣ୍ଢେଇଗୋଳା ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀର ଭକ୍ତମାନେ ସାମିଲ ହୋଇଥିଲେ । ମା’ ତାରେଣୀଙ୍କର ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ସମାପ୍ତ ପରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ । ତାରେଣୀ ଯାତ୍ରା ପାଇଁ କମିଟି ପକ୍ଷରୁ ବିଦ୍ୟୁତ ତୋରଣ ସହିତ ସାଜସଜା କରାଯାଇଥିଲା। ସନ୍ଧ୍ୟାରେ ମନୋରଞ୍ଜନ ନିମନ୍ତେ କୁଣ୍ଢେଇଗୋଳାର ଦଣ୍ଡନୃତ୍ୟ ଓ ନୟାଗଡ଼ର ରାମଲୀଳା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ପ୍ରତାପ ଚନ୍ଦ୍ର ରାଉଳ ଓ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟଙ୍କ ତତ୍ୱାବଧାନରେ ତାରେଣୀ ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ କୁଣ୍ଢେଇଗୋଳା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଗୋବର୍ଦ୍ଧନ ବେହେରା ଓ ରମେଶ ଚନ୍ଦ୍ର ସାହୁଙ୍କ ସହଯୋଗରେ ଆସନ୍ତାକାଲି ପୂର୍ଣ୍ଣାହୁତି ପୂଜା ସମ୍ପନ୍ନ ହେବ ।