ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନାଞ୍ଚଳରେ ସରିଜ ବାଇକ ଚୋରି କରି ପୁଲିସ ପାଇଁ ମୁଣ୍ଡବିନ୍ଧା ସାଜିଥିବା ଅଭିଯୁକ୍ତକୁ ଆଜି ସ୍ଥାନୀୟ କିଛି ଯୁବକ କାବୁ କରି ଦେବଗଡ଼ ଥାନା ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ହେଲେ ରିଆମାଳ ଥାନା ସୁନାରିପଡ଼ା ଗ୍ରାମର ଦିବ୍ୟାଲୋକ ପ୍ରଧାନ ।
ମିଳିଥିବା ରିପୋର୍ଟ ମୁତାବକ, ଆଜି ପୂର୍ବାହ୍ନରେ ମୁଖ୍ୟ ବଜାରଠାରେ ଥିବା ଏକ ପ୍ରିଣ୍ଟିଂ ଦୋକାନ ସମ୍ମୁଖରୁ ଦୋକାନ ମାଲିକ ମନୋରଞ୍ଜନ ନାୟକଙ୍କ ଏକ ବାଇକକୁ ଦିବ୍ୟାଲୋକ ଚୋରି କରି ନେଇ ଯାଉଥିବାବେଳେ ପ୍ରଧାନପାଟ ନିକଟରୁ କେତେକ ସ୍ଥାନୀୟ ଯୁବକ କାବୁ କରି ପୁଲିସ ଜିମା ଦେଇଥିଲେ । ଗତକାଲି ସନ୍ଧ୍ୟାରେ ମଧ୍ୟ ସମ୍ପୃକ୍ତ ଅଭିଯୁକ୍ତ ସହର ମଧ୍ୟରୁ ଗୋଟିଏ ବାଇକ ଚୋରି କରିଥିବବେଳେ ଆଜି ପୁଣିଥରେ ଆଉ ଏକ ବାଇକ ଚୋରି କରି ସ୍ଥାନୀୟ ଯୁବକଙ୍କ ହାତରେ ଧରା ପଡ଼ିଛି । ପୂର୍ବରୁ ମଧ୍ୟ ଦିବ୍ୟାଲୋକ ଚୋରି ଅଭିଯୋଗରେ ୩ଥର ଗିରଫ ହୋଇ ଜାମିନରେ ଜେଲରୁ ମୁକୁଳିଥିବା ଦେବଗଡ଼ ଥାନା ପୁଲିସ ସୂଚନା ଦେଇଛି ।