ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ କେନାଲକୁ ଖସିଲା ବରଯାତ୍ରୀ ଗାଡି । ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲା ସୂଚନା । ସମ୍ବଲପୁରର ଶାସନ କେନାଲ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ବୋଲେରୋ କେନାଲ ମଧ୍ୟକୁ ଖସିପଡିଥିଲା । ସମସ୍ତ ମୃତକ ହେଉଛନ୍ତି ଅଜିତ ଖମାରୀ, ଦିବ୍ୟ ଲୁହା, ସରୋଜ ସେଟ, ସୁମନ୍ତ ଭୋଇ, ସୁବଳ ଭୋଇ, ରମାକାନ୍ତ ଭୂୟାଁ ଓ ଡ୍ରାଇଭର ଶତୃଘ୍ନ ଭୋଇ ।
ସମ୍ବଲପୁର ପରମାଣପୁରରୁ ଝାରସୁଗୁଡା ଜିଲ୍ଲା ବଡଧରା ଗାଁକୁ ବରଯାତ୍ରୀ ଗାଡିଟି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଡ୍ରାଇଭର ୟୁ ଟର୍ଣ୍ଣ ରାସ୍ତା ଜାଣି ନପାରିବାରୁ ଗାଡିଟି ଶାସନ କେନାଲ ଭିତରକୁ ପଶି ଯାଇଥିଲା । ଗାଡ଼ିରେ ମୋଟ ୧୧ ଜଣ ରହିଥିଲେ । ଗାଡି ଭିତରୁ ବାହାରି ନପାରିବାରୁ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରେ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା । ଆହତ ୪ ଜଣଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଗତକାଲି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବଡ଼ଧରା ଗାଁରୁ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ପରମାଣପୁର ଅଞ୍ଚଳକୁ ଏକ ବରଯାତ୍ରୀ ଦଳ ଯାଇଥିଲେ । ତେବେ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଶାସନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେନାଲରୁ ବୋଲେରୋକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।