ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଅନେକ ଶୈବପୀଠ, ଜଳପ୍ରପାତ ତଥା ଦର୍ଶନୀୟ ସ୍ଥାନ ରହିଛି । ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ , ନବରଙ୍ଗପୁର ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଓ ଜିଲ୍ଲାସ୍ତରୀୟ ଅଧିକାରୀ ଆଜି ସାଇଧାରା ଜଳପ୍ରପାତ ଗସ୍ତ କରି ଫେରିଛନ୍ତି । ସାଇଧାରା ଉନ୍ନୟନ କମିଟି ସହିତ ଆଲୋଚନା କରି ଭିତ୍ତିଭୂମିର ବିକାଶକ୍ରମେ ନିକଟସ୍ଥ ବନିଆଦିଗି ଗ୍ରାମରୁ ସାଇଧାରା ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ, ଚତୁଃପାର୍ଶ୍ୱରେ ପାଚେରୀ, ମୁଖ୍ୟ ଫାଟକ ସହ ସାଇନ୍ ବୋର୍ଡ ନିର୍ମାଣ, ଯାନବାହାନ ରଖିବା ନିମନ୍ତେ ପାର୍କିଂ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଶୁଦ୍ଧ ପାନୀୟ ଜଳ, ବିଜୁଳି ଆଲୋକ, ବିଶ୍ରାମ ଗୃହ, ଶିଶୁ ଉଦ୍ୟାନ ନିର୍ମାଣ, ସବୁଜ ବନୀକରଣ, ଜଳପ୍ରପାତ ନିକଟରେ ବେରିକେଟ୍, ୱାଚ୍ ଟାୱାର, ଜଗୁଆଳି ଗୃହ, ଝରିଗାଁ ବ୍ଲକ ସଦର ମହକୁମାରୁ ସାଇଧାରା ପର୍ଯ୍ୟନ୍ତ ମାର୍ଗଦର୍ଶକ ବୋର୍ଡ ଆଦିର ବ୍ୟବସ୍ଥା ପାଇଁ ସିଦ୍ଧାନ୍ତ ନିଆଯାଇଥିଲା । ପରେ ବିଧାୟକ ଏବଂ ଜିଲ୍ଲାପାଳ ଝରିଗାଁର ପର୍ଯ୍ୟଟନ ସ୍ଥଳୀ ଚନ୍ଦନଧାରା ଏବଂ ଦେଉଳକଣା ଶୈବ ପୀଠ ଗସ୍ତ କରି ସେଠାରେ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ । ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଂଯୋଜକ ପ୍ରମୋଦ ପାଢ଼ୀ, ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାଶ, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ବ୍ଲକ ବିଜେଡି ସଭାପତି ଟିକଚାନ୍ଦ ମାଝୀ, ସରପଞ୍ଚ ସଂଘ ସଭାପତି ମୋହନ ନାୟକ ଓ ଥବୀର ପୂଜାରୀ ପ୍ରମୁଖଙ୍କ ସହ ମନ୍ଦିର ପରିଚାଳନା କମିଟି ସଭ୍ୟ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।