ଆସନ୍ତା ୩ରୁ ଜାପାନ ଯିବେ ମୁଖ୍ୟମନ୍ତ୍ରୀ, ୩ ସହରରେ ନିବେଶକଙ୍କୁ ଭେଟିବେ ନବୀନ

ଭୁବନେଶ୍ବର,ଏନ୍‌ଏନ୍ଏସ୍: ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ତାରିଖ ସହ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇସାରିିଛି । ମୁଖ୍ୟମନ୍ତ୍ରୀ ଏପ୍ରିଲ ୩ରୁ ୯ତାରିଖ ପର୍ଯ୍ୟନ୍ତ ଜାପାନ ଗସ୍ତରେ ଯିବେ । ଜାପାନର ୩ପ୍ରମୁଖ ସହର ଟୋକିଓ, କିୟୋଟୋ ଓ ଓସାକ୍କାରେ ନିବେଶକଙ୍କୁ ଭେଟିବେ ନବୀନ । ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଏହା ପ୍ରଥମ ଜାପାନ ଏବଂ ତୃତୀୟ ବିଦେଶ ଗସ୍ତ ।

ବିଦେଶରୁ ପୁଞ୍ଜି ଆଣିବେ ମୁଖ୍ୟମନ୍ତ୍ରୀ: ୨୫ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନବୀନ ପଟ୍ଟନାୟକ ତୃତୀୟ ଥର ଲାଗି ବିଦେଶ ଗସ୍ତରେ ଯାଉଛନ୍ତି । ଶିଳ୍ପ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ କରାଯାଇଛି । ଗସ୍ତ କାର୍ଯ୍ୟକ୍ରମ ଏପ୍ରିଲ ୩ରୁ ଆରମ୍ଭ ହୋଇ ୯ତାରିଖରେ ଶେଷ ହେବ । ସପ୍ତାହବ୍ୟାପୀ ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜାପାନର ନିବେଶକଙ୍କୁ ଭେଟିବେ । ଏପ୍ରିଲ ୪ରୁ ୯ମଧ୍ୟରେ ଏକାଧିକ ବିଜନେସ ସମିଟ୍‌ ଓ ନିବେଶକ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଜାପାନର ୩ ପ୍ରମୁଖ ସହରରେ ଏହି ସମ୍ମିଳନୀ ଆୟୋଜନ ହେବ । ଟୋକିଓ, କିୟୋଟୋ ଓ ଓସାକ୍କାରେ ନିବେଶକଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଲୋଚନା କରିବେ ନବୀନ ।