୧୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଗୁମାଗଡ଼,ଏନ୍‌ଏନ୍‌ଏସ୍‌: ଫୁଲବାଣୀ ମୋବାଇଲ ଅବକାରୀ ବିଭାଗ ପେଟ୍ରୋଲିଂ ସମୟରେ ରାମାଡି ସ୍କୁଲ ଖେଳ ପଡ଼ିଆ ନିକଟରେ ଚଢ଼ଉ କରି ଜଣେ ଯୁବକଙ୍କଠାରୁ ୧୪୦କିଲୋ ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦୁଡୁକି ପଞ୍ଚାୟତର ଶଇପଦର ଗ୍ରାମର ବାପିନା କହଁର (୨୩ ) । ମିଳିଥିବା ରିପୋର୍ଟ ମୁତାବକ, ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ମୋବାଇଲ ଅବକାରୀ ବିଭାଗର କର୍ମଚାରୀମାନେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଜଣେ ଯୁବକ ରାମାଡ଼ି ସ୍କୁଲ ଖେଳ ପଡ଼ିଆ ନିକଟରେ ୭ଟି ବସ୍ତା ରଖି ଛିଡ଼ା ହୋଇଥିବାବେଳେ ସନ୍ଦେହରେ ଯାଞ୍ଚ କରିବାରୁ ତାଙ୍କ ପାଖରୁ ୧୪୦କିଲୋ ଗଞ୍ଜେଇ ମିଳିଥିଲା । ଏନେଇ ଫୁଲବାଣୀ ଅବକାରୀ ମୋବାଇଲ ଟିମ ଏକ ମାମଲା ରୁଜୁ କରିଛି । ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ଶ୍ରୀଧର ହେମ୍ବ୍ରମ ଓଆଇସି ଭବାନୀ ଶଙ୍କର ସେଠୀ ଓ ସାଗର ଭୋଇ ପ୍ରମୁଖ ଏହି ଚଢ଼ଉରେ ସାମିଲ ଥିଲେ ।