ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ଝାଡ଼େଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଦେଶୀ ବନ୍ଧୁକ, ଗୁଳି ଓ ମାରଣାସ୍ତ୍ର ସହ ୨ ଶିକାରୀଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଦ୍ୱୟ ହେଲେ ଗୁଣ୍ଡୁରୀପୋଷି ଗ୍ରାମର ସୁବଳ ଧୀବର ଓ ବେଲମରା ଗ୍ରାମର ଖଗେଶ୍ୱର ମୁଣ୍ଡା । ମିଳିଥିବା ରିପୋର୍ଟ ମୁତାବକ, ତିଳେଇବଣି ସେକ୍ସନ ଅନ୍ତର୍ଗତ ବେଲମରା ଅଞ୍ଚଳରେ ଥିବା ଝାଡ଼େଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ଶିକାରୀ ଯାଇଥିବା ନେଇ ବନ ବିଭାଗକୁ ସୂଚନା ମିଳିଥିଲା । ରେଞ୍ଜର ଦେବବ୍ରତ ନନ୍ଦଙ୍କ ନିର୍ଦ୍ଦେଶରେ ତିଳେଇବଣି ଫରେଷ୍ଟର କାର୍ତ୍ତିକେୟ ପ୍ରଧାନ ଓ ବନରକ୍ଷୀ ଭୋଲେଶ୍ୱର ସାହୁ ସଦଳବଳେ ଉକ୍ତ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରି ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପରେ ସେମାନଙ୍କୁ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା ସମୟରେ ସେମାନେ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ସ୍ୱୀକାର କରିଥିଲେ । ଉଭୟଙ୍କ ନାଁରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।