ଝରିଗାଁ,ଏନ୍ଏନ୍ଏସ୍: ଗାଁକୁ ସ୍ୱଛ ଓ ଆବର୍ଜନା ମୁକ୍ତ କରିବା ଲାଗି ସରକାର ଲକ୍ଷାଧିକ ଟଙ୍କା ବ୍ୟୟରେ ଆବର୍ଜନା ଗୃହ ନିର୍ମାଣ କରୁଛନ୍ତି । ହେଲେ ଏହି ଆବର୍ଜନା ଗୃହ ନିର୍ମାଣରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଝରିଗାଁ ବ୍ଲକ୍ ଅନ୍ତର୍ଗତ ଚିତାବେଡ଼ା ପଞ୍ଚାୟତର ମନଗୁଡ଼ାରେ ଚଞ୍ଚକତା କରି ଆବର୍ଜନା ଗୃହକୁ ନିର୍ଦ୍ଧାରିତ ସ୍ଥାନରେ ନକରି ଅନ୍ୟତ୍ର ନିର୍ମାଣ କରାଯାଇଛି । ଜନସଂଖ୍ୟାକୁ ପ୍ରାଥମିକତା ଦେଇ ପ୍ରଥମେ ଏହା ଚିତାବେଡ଼ା ସଦର ମହକୁମାର ସାପ୍ତାହିକ ହାଟପଦାରେ ନିର୍ମାଣ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ପରେ ଚିହ୍ନଟ ଜାଗାରେ ମେଟେରିଆଲ୍ ମଧ୍ୟ ପକାଯାଇଥିଲା । ଚିତାବେଡ଼ା ଜନସଂଖ୍ୟା ୪,୫୦୦ ରହିଥିବାବେଳେ ମନାଗୁଡ଼ାର ଜନସଂଖ୍ୟା ୫୮୨ ରହିଛି । ଜନସଂଖ୍ୟା ଦୃଷ୍ଟିରୁ ଆବର୍ଜନା ଗୃହର ଅଧିକ ଆବଶ୍ୟକ ଚିତାବେଡ଼ାରେ ଥିବାବେଳେ ଏହାର ନିର୍ମାଣ ମନଗୁଡ଼ାରେ ହୋଇଛି । ଆଶ୍ଚର୍ଯ୍ୟ ବିଷୟ ଏହା ଯେ ମନଗୁଡ଼ାରେ ଥିବା ପ୍ରାକ୍ ଶିକ୍ଷା କେନ୍ଦ୍ର ପରିସରକୁ ଲାଗି ଏହି ଆବର୍ଜନା କୁଣ୍ଡ ଗୃହ ନିର୍ମାଣ ହୋଇଛି । ଏହାର ଅଟକଳ ମୂଲ୍ୟ ସ୍ୱଛ ଭାରତ ମିଶନ ପାଣ୍ଠିରୁ ୨୦୨୨-୨୩ ଆର୍ôଥକ ବର୍ଷରେ ୨ଲକ୍ଷ ୬୯ହଜାର ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏସଏଫସି ପାଣ୍ଠିରୁ ୧ଲକ୍ଷ ୧୫ହଜାର ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଫଳକରେ ରହିଛି । ସ୍ୱତନ୍ତ୍ର ଭାବେ ସୂଚନା ଫଳକ ତିଆରି ନ କରି ଘର କାନ୍ଥରେ ଲେଖାଯାଇଥିବା ଦେଖିବାକୁ ମିଳିଛି । ଆବଶ୍ୟକ ଓ ନିର୍ଦ୍ଧାରିତ ସ୍ଥାନରେ ଆବର୍ଜନା ଗୃହ ନିର୍ମାଣ ନ ହୋଇ ଅନ୍ୟତ୍ର କିପରି ସ୍ଥାନାନ୍ତର କରାଗଲା ସେନେଇ ଝରିଗାଁ ବିଜେପି ମଣ୍ଡଳ ସଭାପତି ଗଣପତି ସାହୁ, ନାଏବ ସରପଞ୍ଚ ମହେଶ୍ୱର ସାହୁ, ପୂର୍ବତନ ୱାର୍ଡ ମେମ୍ବର ଡମ୍ବରୁ ଭତରା, ଦୁର୍ଯ୍ୟୋଧନ କଲାର, ଉଆଁସୁ ମାଳି, ନରେନ୍ଦ୍ର ହିଆଲ, ଯୋଗୀ ମାଳି ପ୍ରମୁଖ ଏହାର ଘୋର ନିନ୍ଦା କରିଛନ୍ତି ।
ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟ ନାରାୟଣ ମେହେରଙ୍କୁ ପଚାରିବାରୁ ସବୁଥର ଭଳି ଏଥର ମଧ୍ୟ ଦେଖିକି କହିବି, ପରେ କହିବି କହି ଚୁପ୍ ରହିଥିଲେ । ବିଭାଗୀୟ ଯନ୍ତ୍ରୀ ବିନୋଦ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ମନଗୁଡ଼ାବାସୀ ଯେଉଁ ଜାଗା ଦେଖାଇଥିଲେ ସେହି ସ୍ଥାନରେ ନିର୍ମାଣ ହୋଇଥିବା ପ୍ରକାଶ କରିଛନ୍ତି । ଜାଗା ସ୍ଥାନାନ୍ତର ପ୍ରସଙ୍ଗରେ ଯନ୍ତ୍ରୀଙ୍କ ଭୂମିକା କିଛି ନାହିଁ ବୋଲି ଇଂ ବିନୋଦ ବେହେରା କହିଛନ୍ତି ।