ବାଲିଗୁଡ଼ା,ଏନ୍ଏନ୍ଏସ୍ : ନିମ୍ନମାନର ଖାଦ୍ୟ ମିଳିବା ଅଭିଯୋଗରେ ୫୦ରୁ ଅଧିକ ଅନ୍ତେବାସୀ ହଷ୍ଟେଲ ଛାଡ଼ିଥିବା ଜଣାପଡ଼ିଛି । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଖମଣଖୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ଖମଣଖୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ପ୍ରାୟ ୮୦ଜଣ ଆଦିବାସୀ ଛାତ୍ରୀ ରହି ପାଠ ପଢୁଛନ୍ତିି । ସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରିବା ପାଇଁ ମାଗଣା ରହିବା, ପୁଷ୍ଟିକର ଖାଦ୍ୟ ଦେବା, ମାଗଣା ବହି ଓ ଖାତା ଯୋଗାଇବା ସହ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କିଛି ହୀନ ମାନସିକଧାରୀ ସ୍କୁଲ କର୍ତ୍ତୃପକ୍ଷ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ସରକାରୀ ଅର୍ଥକୁ ଚଳୁ କରିବାକୁ ପଛାଉ ନାହାନ୍ତି । ଦୀର୍ଘ ଦିନ ହେବ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ହଷ୍ଟେଲ ପରିଚାଳକ ଅନ୍ତେବାସୀଙ୍କୁ ନିମ୍ନ ମାନର ଖାଦ୍ୟ ପରିବେଷଣ କରୁଥିବାବେଳେ ସ୍ଥିତିରେ ସୁଧାର ଆଣିବା ପାଇଁ ଅନ୍ତେବାସୀ ବାରମ୍ବାର ନିବେଦନ କରିଆସୁଥିଲେ ମଧ୍ୟ ଏଥିପ୍ରତି କର୍ତ୍ତୃପକ୍ଷ କର୍ଣ୍ଣପାତ କରିନଥିଲେ । ଶେଷରେ ଅତିଷ୍ଠ ହୋଇ ଗତ ରାତିରେ ୫୦ରୁ ଅଧିକ ଅନ୍ତେବାସୀ ହଷ୍ଟେଲ ଛାଡ଼ି ଚାଲିଯାଇଥିବା ଅଞ୍ଚଳବାସୀଙ୍କ ନିକଟରୁ ଶୁଣିବାକୁ ମିଳିଛି ।