ଘୁନସରରେ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗାଁରେ ଇଷ୍ଟ ଦେବୀ ମା’ ଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଗାଁର ଶତାଧିକ ମହିଳାମାନେ ସ୍ଥାନୀୟ ହାଟପଦାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସରଖଣ୍ଡି(ଜଳାଶୟ)ନିକଟରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଏଥିରେ ପାଟଣାଗଡ଼ ମହାରାଜା କନକ ବର୍ଦ୍ଧନ ସିଂହଦେଓ, ବିଜେପି ନେତା ମହେନ୍ଦ୍ର ଠାକୁର ଓ ସାଂସଦଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣା ପ୍ରମୁଖ ସାମିଲ ହୋଇଥିଲେ । ଆଜି ସକାଳୁ ୨୪ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଯାଇଛି । ସୁବାଶିଷ ମିଶ୍ର ଓ ତାଙ୍କର ଧର୍ମପତ୍ନୀ ଝରଣା ଦାଶ ପୂଜା କର୍ତ୍ତାଭାବେ ଦାୟିତ୍ୱ ତୁଲାଇଥିବାବେଳେ ମୁଖ୍ୟ ପୂଜକ ଭାବେ ଗୋବର୍ଦ୍ଧନ ତ୍ରିପାଠୀ, ଯଜ୍ଞ ଆଚାର୍ଯ୍ୟ ନୃସିଂହ ଚରଣ ତ୍ରିପାଠୀ ଓ ପ୍ରହରୀ ପୂଜକ ପ୍ରମୋଦ କୁମାର ମିଶ୍ର ପୂଜାର୍ଚ୍ଚନା କରୁଛନ୍ତି । କମିଟିର ସଭାପତି ପଞ୍ଚାନନ ମହାପାତ୍ର ଓ ସମ୍ପାଦକ ମନୋଜ ସାହୁ ସମେତ ଗ୍ରାମବାସୀମାନେ ସହଯୋଗ କରୁଥିବାବେଳେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ସହସ୍ରାଧିକ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।