ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୋଷଣ ପଖୱାଡା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲୁକାଶ ପ୍ରଧାନ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଚେତନତା ସଭାର ଶୁଭାରମ୍ଭ କରିଥିଲେ । ଜିଲ୍ଲାରେ ଶିଶୁଙ୍କ ମଧ୍ୟରେ ଅପପୁଷ୍ଟି ରୋକିବା ପାଇଁ ପୋଷଣ ତତ୍ୱର ଉପଯୋଗୀତା ନିମନ୍ତେ ମିଲେଟର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ମଞ୍ଚାସିନ ଅତିଥିମାନେ ଉପସ୍ଥିତ ଅଙ୍ଗନବାଡି କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ସେହିପରି ଶିଶୁଙ୍କୁ ଫାଷ୍ଟଫୁଡଠାରୁ ଦୂରେଇ ଶାଗ, ମାଛ, ଛତୁ, ଅଣ୍ଡା ଓ ସଜନା ଛୁଇଁର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ମାର୍ଚ୍ଚ ୨୦ ତାରିଖରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପଖୱାଡା ପାଳନ ଅବସରରେ ପ୍ରତି ଗାଁରେ ଜନ ସଚେତନତା ସୃଷ୍ଟି ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ସେହିପରି ଗ୍ରାମାଞ୍ଚଳରେ ଗର୍ଭବତୀ ଓ ଶିଶୁଙ୍କ କ୍ଷେତ୍ରରେ ଅପପୁଷ୍ଟି ରୋକିବାରେ ନିଜର ବିଶେଷ ଅବଦାନ ପାଇଁ ଅଙ୍ଗନବାଡି କର୍ମୀ ଓ ସମନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।