ନିଶା ନିବାରଣ ପାଇଁ ଅବକାରୀ ବିଭାଗର ପଥପ୍ରାନ୍ତ ନାଟକ ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ନିର୍ଦ୍ଦେଶରେ ଏକ ପଥପ୍ରାନ୍ତ ନାଟକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଶାମୁକ୍ତ ସମାଜ ଗଠନ କରିବା ଓ ଲୋକଙ୍କୁ ନିଶାଦ୍ରବ୍ୟ ପାନ କରିବାଠାରୁ ଦୂରେଇ ରହିବା ପାଇଁ ନାଟକ ମାଧ୍ୟମରେ ସଚେତନ କରାଯାଇଛି । ନବରଙ୍ଗପୁର ବସଷ୍ଟାଣ୍ଡ ଓ ମାଝିଗୁଡ଼ା ଛକ ପରେ ଜିଲ୍ଲାର ସମସ୍ତ ବ୍ଲକରେ ମଧ୍ୟ ଏହି ସଚେତନା କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ପାଇକରାୟ କହିଛନ୍ତି । ଦିନକୁଦିନ ମାଦକ ଦ୍ରବ୍ୟ ସେବନ କରି ଦୁର୍ଘଟଣା ଘଟିବା ସହ ପାରିବାରିକ କଳହ ବଢ଼ିବାରେ ଲାଗିଛି । ଏନେଇ ଆଜିଠାରୁ ଅବକାରୀ ବିଭାଗ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ କରୁଛି । ମଦ, ଗଞ୍ଜେଇ, ଚରସ ଓ ନିଶା ଔଷଧ ବ୍ୟବହାର ନକରିବାକୁ ସଚେତନ କରିଛନ୍ତି । ଅବକାରୀ ଇନ୍ସପେକ୍ଟର ସୁଧୀର ସାହୁଙ୍କ ନେତୃତ୍ୱରେ ଟାଉନ ଅବକାରୀ ଅଧିକାରୀ ସୁଜିତ କୁମାର ନାଗ, ଦେଶରାଜ ସୁନା ଓ ସୁବ୍ରତ ହିରନ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।