ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁରରେ ଜଣେ ଆଶାକର୍ମୀ ଏକ ଚାଞ୍ଚଲ୍ୟକର ଘଟଣା ଘଟାଇଛନ୍ତି । ସମ୍ପୃକ୍ତ ଆଶାକର୍ମୀ ଜଣକ ନିଜ ସ୍ୱାମୀଙ୍କ ଦ୍ୱାରା ଚିକିତ୍ସା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କ ଦୁଷ୍କର୍ମ କରାଇ ସେହି ସମୟର ଭିଡିଓ ଉତ୍ତୋଳନ କରିଥିବା ଜଣାପଡ଼ିଛି । ଏଥିସହିତ ସମ୍ପୃକ୍ତ ଆଶାକର୍ମୀ ମହିଳା ଜଣଙ୍କୁ ଭିଡିଓ ଭାଇରାଲ କରିବାର ଧମକ ମଧ୍ୟ ଦେଇଛନ୍ତି । ଏନେଇ ଗର୍ଭବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ ହୋଇଛି ।
ମିଳିଥିବା ରିପୋର୍ଟ ମୁତାବକ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଜଣେ ୫ ମାସର ଗର୍ଭବତୀଙ୍କୁ ଚିକିତ୍ସା ବାହାନାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଶାକର୍ମୀ ଜଣକ ନିଜ ପୁଅ ସହିତ ନେଉଥିଲେ । ପୂର୍ବରୁ ଏକ ଛକରେ ଆଶାର୍ମୀଙ୍କ ସ୍ୱାମୀ ଅପେକ୍ଷା କରିଥିଲେ । ପରେ ତାଙ୍କ ସ୍ୱାମୀଙ୍କ ସହ ଆଶାକର୍ମୀ ଗର୍ଭବତୀ ମହିଳାଙ୍କୁ ନେଇ ନବରଙ୍ଗପୁର ମେଡ଼ିକାଲ ଅଭିମୁଖେ ବାହାରିଥିଲେ । କିନ୍ତୁ ମେଡ଼ିକାଲ ନ ନେଇ ସହରର ଏକ ଘରକୁ ନେଇଥିଲେ । ସେଠାରେ ଆଶାକର୍ମୀଙ୍କ ସ୍ୱାମୀ ଉକ୍ତ ଗର୍ଭବତୀଙ୍କୁ ଦୁଷ୍କର୍ମ କରିଥିଲେ । ଏହି ସମୟରେ ଆଶାକର୍ମୀ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଘଟଣା ବାବଦରେ ଯଦି ପରିବାର ଲୋକଙ୍କ ସମ୍ମୁଖରେ ପ୍ରଘଟ କରନ୍ତି ତେବେ ଭିଡିଓ ଭାଇରାଲର ଧମକ ଦେଇଥିଲେ । କିଛିଦିନ ନୀରବତା ପରେ ଗର୍ଭବତୀ ଜଣକ ପରିବାର ଲୋକଙ୍କ ସମ୍ମୁଖରେ ଘଟଣା ବାବଦରେ ଜଣାଇବା ସହିତ ଆତ୍ମହତ୍ୟାର ଉଦ୍ୟମ କରିଥିଲେ । ପରେ ପରିବାର ଲୋକେ ଖାତିଗୁଡ଼ା ଥାନାରେ ଏତଲା ଦାୟାର କରିଥିଲେ । ଉକ୍ତ ମହିଳାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣି ଡାକ୍ତରୀ ମାଇନା କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରି ତେନ୍ତୁଳିଖୁଣ୍ଟି ପୁଲିସ ତଦନ୍ତ ଆରମ୍ଭ କରିଛି ।