ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାରେ ଦଶମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଅଭିଯୋଗ ହୋଇଛି । ମଙ୍ଗଳବାର ମାଟ୍ରିକ ପରୀକ୍ଷାର ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ହେଉଥିବାବେଳେ ପ୍ରଥମେ ହିନ୍ଦୀ ଏବଂ ପରେ ସଂସ୍କୃତ ପ୍ରଶ୍ନପତ୍ର ଲିକ ହୋଇଥିବା ଖବର ପ୍ରଚାର ହୋଇଥିଲା । ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ନବରଙ୍ଗପୁର ଜିଲ୍ଲାରେ ମୋବାଇଲରୁ ମୋବାଇଲ ହିନ୍ଦୀ ପ୍ରଶ୍ନପତ୍ର ଘୁରି ବୁଲିଥିଲା । ପ୍ରାଥମିକସ୍ତରରେ ଏହା ନବରଙ୍ଗପୁର ସଦର ବ୍ଲକ ବିକ୍ରମପୁର ହାଇସ୍କୁଲରୁ ଲିକ ହୋଇଥିବା ନେଇ ସୂଚନା ମିଳିଛି । ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଉକ୍ତ ପରୀକ୍ଷା ସେଣ୍ଟରରେ ପହଞ୍ଚି ତଦନ୍ତ କରିଛନ୍ତି । ମୋବାଇଲରେ ଭାଇରାଲ ହୋଇଥିବା ହିନ୍ଦୀ ଏବଂ ସଂସ୍କୃତ ଉତ୍ତର ଖାତାର କପି ଜିଲ୍ଲା ଶିକ୍ଷାଧିକାରୀଙ୍କ ମୋବାଇଲକୁ ପଠାଇ ସତ୍ୟାସତ୍ୟ ଜାଣିବା ପାଇଁ ଚାହିଁଥିଲେ ମଧ୍ୟ ସେ କିଛି କହିନଥିଲେ । ପରୀକ୍ଷା ସରିବା ପରେ ଜିଲ୍ଲା ଶିକ୍ଷାଧିକାରୀ ଭାଇରଲ ହେଉଥିବା ହିନ୍ଦୀ ପ୍ରଶ୍ନପତ୍ର ମେଳ ଖାଉଥିବା କହିଥିବାବେଳେ ବିକ୍ରମପୁର ହାଇସ୍କୁଲରୁ ଏହା ହୋଇନଥିବା ଶ୍ରୀ ନାଗ କହିଛନ୍ତି । ଅନ୍ୟପଟେ ସଂସ୍କୃତ ଉତ୍ତର ଖାତାର ତଦନ୍ତ ଚାଲିଥିବାବେଳେ ଶିକ୍ଷକଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରାଯାଉଥିବା ନେଇ ଶ୍ରୀ ନାଗ ପ୍ରକାଶ କରିଛନ୍ତି । ତେବେ ବିକ୍ରମପୁର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁଜାତା ମହାପାତ୍ର ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିବାବେଳେ ସମସ୍ତ ତଦନ୍ତ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।