ନବରଙ୍ଗପୁର,ଏନ୍ଏନ୍ଏସ୍: ଭିଜନ ନବରଙ୍ଗପୁର ପକ୍ଷରୁ ତୃତୀୟ ପର୍ଯ୍ୟାୟ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ବ୍ଲକର ସରପଞ୍ଚମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଯୋଗଦେଇ ସମସ୍ତ ସମସ୍ୟା ବିଷୟରେ ଅବଗତ ହେବାସହ ସମାଧାନ ପାଇଁ ବାଟ ଖୋଜି ବାହାର କଲେ ଜିଲ୍ଲାର ସାମଗ୍ରିକ ବିକାଶ ହୋଇପାରିବ ବୋଲି କହିଥିଲେ । ସରପଞ୍ଚମାନେ ତୃଣମୂଳସ୍ତରରୁ ଆସିଛନ୍ତି । ସେମାନେ ସମସ୍ୟା ସମ୍ପର୍କରେ ସଚେତନ ଅଛନ୍ତି । ତେବେ ସମସ୍ୟାର ସମାଧାନ ଉପରେ ଧାରଣା ନାହିଁ । ଏଥିପ୍ରତି ଗୁରୁତ୍ୱ ଦେବାକୁ ହେବ ବୋଲି କହିଥିଲେ । ଲୋକଙ୍କ ସମସ୍ୟାର ସମାଧାନ ଉଦ୍ୟମ କରି ଭଲ କରିବାର ବାଟ ଖୋଜିବାକୁ ଡା. ମିଶ୍ର ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗଦେଇ ଜିଲ୍ଲାର ବିକାଶର ଆଶା, ଚିନ୍ତାଧାରାର ସ୍ୱପ୍ନ ଭିଜନ ମାଧ୍ୟମରେ ପୁରା ହେବ ବୋଲି କହିଥିଲେ । ଏଠାରେ ହେଲିପ୍ୟାଡ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ପର୍ଯ୍ୟଟନ ପାଇଁ ଉଦ୍ୟମ ଆରମ୍ଭ କରାଯାଉଛି ବୋଲି ଶ୍ରୀ ନାୟକ କହିଥିଲେ । ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଯୋଗଦେଇ ଆଦିବାସୀ ଅଧୁଷିତ ଏହି ଜିଲ୍ଲାରେ ବିକାଶ କାର୍ଯ୍ୟ ଚାଲିଛି । କେରଳ ରାଜ୍ୟର ପ୍ରତି ଗ୍ରାମପଞ୍ଚାୟତରେ ବାର୍ଷିକ ୧୫ କୋଟି ପର୍ଯ୍ୟନ୍ତ ଆଦାୟ କରାଯାଉଛି । ଏଭଳି ଯୋଜନା ଏହି ଜିଲ୍ଲାର ସରପଞ୍ଚମାନେ ପଦକ୍ଷେପ ନେବାକୁ କହିଥିଲେ । ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି ସରପଞ୍ଚଙ୍କର କାର୍ଯ୍ୟ ଓ ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ସରପଞ୍ଚ ସଂଘ ସଭାପତି ଜଳଧର ମାଝୀ ପ୍ରତି ପଞ୍ଚାୟତରେ ଜିମ କେନ୍ଦ୍ର, ଗୋଶାଳା ଖୋଲିବା, ପ୍ରତ୍ୟେକ ଶ୍ମଶାନରେ ପାଚେରୀ ନିର୍ମାଣ, ପିପିପି ମୋଡ଼ରେ ପର୍ଯ୍ୟଟନର ବିକାଶ ଓ ଦୀପା ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ । ଅତିରିକ୍ତ ଏସପି ଡା. ଚନ୍ଦ୍ରଶେଖର ହୋତା ମଞ୍ଚାସିନ ଥିଲେ । କୋଷଗୁମୁଡ଼ା ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ତାଙ୍କର ବ୍ଲକର ସଫଳତା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ସରପଞ୍ଚମାନେ ଜିଲ୍ଲାର ବିଭିନ୍ନ ସମସ୍ୟା ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଗମନାଗମନ ଓ ଅଡ଼ିବନ୍ଧ ନିର୍ମାଣ ଇତ୍ୟାଦି ସମ୍ପର୍କରେ ଅବଗତ କରାଇବା ସହିତ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ । ଜିଲ୍ଲା ସରପଞ୍ଚ ସଂଘର ସମ୍ପାଦକ କୃଷ୍ଣଚନ୍ଦ୍ର ଭତରା ସରପଞ୍ଚମାନେ ଜିଲ୍ଲା ବିକାଶରେ ସହଭାଗୀ ହୋଇ କାମ କରୁଥିବା କହିଥିଲେ । ସାମ୍ବାଦିକ ଭାଗିରଥି ମଲ୍ଲିକ ଜିଲ୍ଲାର ଆର୍ôଥକ ବିକାଶ ପାଇଁ ୪ଟି ପ୍ରସ୍ତାବ ଦେଇଥିଲେ । ଭିଜନର ସଂଯୋଜକ ବାଙ୍କ ବିହାରୀ ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ ଓ ଶତାଧିକ ସରପଞ୍ଚ ଅଂଶଗ୍ରହଣ କରିଥିଲେ । ଆବାହକ ବିରେନ୍ଦ୍ର କୁମାର ନାୟକ ଧନ୍ୟବାଦ ଦେଇଥିବାବେଳେ ସହସଂଯୋଜକ ରାମଚନ୍ଦ୍ର ଦଳେଇ ସଂଯୋଜନା କରିଥିଲେ ।