ଦେବଗଡ଼,ଏନ୍ଏନ୍ଏସ୍: ପୁଲିସ ପଞ୍ଝାରେ ଆରାଗୋଳା ଗ୍ୟାଙ୍ଗର ୬ ଡକାୟତ । ଗତକାଲି ବିଳମ୍ବିତ ରାତିରେ ସାମନ୍ତରାପାଲି ଗ୍ରାମ ନିକଟସ୍ଥ ରାଞ୍ଚି – ବିଜୟୱାଡା ଜାତୀୟ ରାଜପଥ କଡ଼ରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟସ୍ଥ ପଡ଼ିଆରେ ମାରଣାସ୍ତ୍ର ସହ କେତେକ ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବିଶ୍ୱସ୍ତ୍ର ସୂତ୍ରରୁ ସୂଚନା ମିଳିଥିଲା । ପରେ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବା ଏସଆଇ ରୁଦ୍ର ନାରାୟଣ ପ୍ରଧାନ ସଦଳବଳେ ସେଠାରେ ଚଢ଼ଉ କରି ସେଠାରେ ମଦ୍ୟପାନ କରୁଥିବା ୬ ସନ୍ଦିଗ୍ଧଙ୍କୁ କାବୁ କରିଥିଲେ । ସେମାନଙ୍କ ମଧ୍ୟରେ ୨ଜଣ ନାବାଳକ ଥିବାବେଳେ ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ଏସିଡ ଭର୍ତ୍ତି ବୋତଲ, ମଦ ବୋତଲ ସହ ୨ଟି ଲୁହା ଛଡ଼, ଛୁରୀ, ପ୍ଲାଷ୍ଟିକ ରସି ଓ ୭ଟି ମୋବାଇଲ ଫୋନ ଜବତ କରିଛି । ସେହିପରି ସେମାନେ ଏଠାକୁ ଆସିବାବେଳେ ଭୁବନେଶ୍ୱରରୁ ଏକ ସ୍କୁଟି ଓ ତାଳଚେର ଅଞ୍ଚଳରୁ ଲୁଟି ଆଣିଥିବା ଏକ ହୋଣ୍ଡା ସାଇନ ବାଇକକୁ ମଧ୍ୟ ପୁଲିସ ଜବତ କରିଛି । ଜେରା ବେଳେ ସେମାନେ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ପଣ୍ଡିଆପଥର ଗ୍ରାମର ବାବୁଲା ଦାଶ, ଏ ସନ୍ତୋଷ ଓ ମରିଡମ ନଗରର ଏ ବିକାଶ, ବୁଗୁଡ଼ା ଥାନାଞ୍ଚଳର ଶିବ ଚୌଧୁରୀ, ପି କ୍ରିଷ୍ଣା ରାଓ ଓ ସୋରଡ଼ା ଥାନା କଇଥପାଲି ସାହିର ସନ୍ତୋଷ ଦାସ ବୋଲି ଜଣା ପଡ଼ିଥିଲା । ଏହି ଗ୍ୟାଙ୍ଗ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୁଟ ଓ ଡକାୟତି କରୁଥିବାବେଳେ ସେମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି । ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସ ଏକ ମାମଲା ରୁଜୁ କରି ଗିରଫ କରିଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ସୁରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି ।