ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲାସ୍ତରୀୟ ଅମଲାଙ୍କ ବେତନ ବୃଦ୍ଧି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଜିଲ୍ଲାସ୍ତରୀୟ ସମ୍ଭାବାପନ୍ନ ଅମଲା ସଂଘର ପ୍ରତିନିଧିମାନେ ଏକାଠି ହୋଇ ଏକ ମିଳିତ ମଞ୍ଚ ଗଠନ କରିଛନ୍ତି । ଓଡ଼ିଶା ଅମଲା ସଂଘର ରାଜ୍ୟ ସଭାପତି ନାରାୟଣ ଦାସ ଅଧ୍ୟକ୍ଷ ଏବଂ ଚିତ୍ତରଞ୍ଜନ ତରାସିଆ ଆବାହକ ଭାବେ କାର୍ଯ୍ୟ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଭବିଷ୍ୟତରେ ମିଳିତ ମଞ୍ଚର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନା କରିବା ପାଇଁ ମଞ୍ଚ ଗଠନ କରାଯାଇଛି । ଏଥିରେ ନିମ୍ନଲିଖିତ ସମ୍ଭାବାପନ୍ନ ଅମଲା ସଂଘର ନେତୃତ୍ୱଙ୍କୁ ନେଇ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଓଡ଼ିଶା ଅମଲା ସଂଘ ପକ୍ଷରୁ ପ୍ରସନ୍ନ କୁମାର ତ୍ରିପାଠୀ, ଜ୍ଞାନରଞ୍ଜନ ଦାସ, ହୃଦୟ ବିହାରୀ ମହାପାତ୍ର, ଲଳିତ ଶତପଥୀ, ବିରଞ୍ଚି ବରାଳ, ଅରୁଣ କୁମାର ବଳିଆର ସିଂହ, ସୁକାନ୍ତ କୁମାର ମହାପାତ୍ର ଓ ଗୁରୁ ଗୋବିନ୍ଦ ଦଳେଇ ପ୍ରମୁଖ ସାମିଲ ଅଛନ୍ତି । ସେହିପରି ଓଡ଼ିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ଲୋକେଶ୍ୱର ସାହୁ, ତ୍ରିପତି ବାଲାଜୀ ସାହୁ, ନରେଶ ଚନ୍ଦ୍ର ମହାପାତ୍ର, ନିହାର ରଞ୍ଜନ ଦାସ, ରମାକାନ୍ତ ସାହୁ, ବିଭୂତି ଭୂଷଣ ପଟ୍ଟନାୟକ, ଟ୍ରେଜେରି ସଂଘ ପକ୍ଷରୁ ସମର କାନୁନଗୋ, ଶୁଭେନ୍ଦୁ କୁମାର ରାଉତରାୟ, ରାଜେନ୍ଦ୍ର ମେହେର, ଦିବାକର ବେହେରା, ବିଭୁଦତ୍ତ ମିଶ୍ର ଓ ସବରେଜିଷ୍ଟର ସଂଘ ପକ୍ଷରୁ ନଳିନୀକାନ୍ତ ମହାନ୍ତି ଏହି ମିଳିତ ମଞ୍ଚର ସଦସ୍ୟ ଭାବେ ରହିଛନ୍ତି । ଏହି ବୈଠକରେ ଆଗାମୀ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ମିଳିତ ଅମଲା ମଞ୍ଚର କମିଟି ଗଠନ କରାଯିବା ସହିତ ବୈଠକମାନ ଅନୁଷ୍ଠିତ କରାଯିବ । ପରେ ମିଳିତ ଅମଲା ମଞ୍ଚର ବୈଠକ ଡକାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।