ଜିଲ୍ଲା ବିଜେପିର ବରିଷ୍ଠ ନେତୃତ୍ୱ ହେଲେଣି ମୂଲ୍ୟହୀନ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ବିଜେପିରେ ଥିବା ବିଧାୟକଙ୍କଠାରୁ ବିଭିନ୍ନ ଦଳୀୟ ପଦାଧିକାରୀଙ୍କ ଦଳ ମଧ୍ୟରେ ଦିନକୁଦିନ ପାତିଆର ହ୍ରାସ ପାଇବାରେ ଲାଗିଥିବାବେଳେ ଜିଲ୍ଲା ବିଜେପି ରାଜନୀତିରେ ଯୁବ ମୋର୍ଚ୍ଚା ନେତୃତ୍ୱଙ୍କ ଦଳ ମଧ୍ୟରେ ଭିନ୍ନ ରୂପରେ ଅଭ୍ୟୁଦୟ ହୋଇଛି । ଫଳରେ ଜିଲ୍ଲା ବିଜେପିର ପୁରୁଖା ନେତା ଦଳ ମଧ୍ୟରେ ଅଲୋଡ଼ା ଓ ମୂଲ୍ୟହୀନ ହୋଇପଡୁଥିବା ଦେଖିବାକୁ ମିଳୁଛି । ଏହିକ୍ରମରେ ରାଜଧାନୀରେ ବିଜେପି ଯୁବ ମୋର୍ଚ୍ଚା ଓ ପୁଲିସ ମଧ୍ୟରେ ଘଟିଥିବା ଖଣ୍ଡଯୁଦ୍ଧ ଘଟଣାରେ ଆଜି ଯୁବ ମୋର୍ଚ୍ଚା କର୍ମୀଙ୍କୁ ପୁଲିସର ଆକ୍ରମଣ ପ୍ରତିବାଦରେ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଆଦର୍ଶ ଥାନାରେ ଦଳ ପକ୍ଷରୁ ଏଫଆଇଆର ପ୍ରଦାନ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ ପୂର୍ବାହ୍ନରେ ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର କୁମାର ବ୍ରହ୍ମା ଓ ଦୟା ଶଙ୍କର ଦ୍ୱିବେଦୀଙ୍କ ନେତୃତ୍ୱରେ ବହୁସଂଖ୍ୟକ ଯୁବ ମୋର୍ଚ୍ଚା ସଦସ୍ୟ ଦେବଗଡ଼ ଥାନାକୁ ଆସି ଏକ ଲିଖିତ ଅଭିଯୋଗ ପତ୍ର ଥାନାଧିକାରୀଙ୍କୁ ପ୍ରଦାନ କରିଛନ୍ତି।

ଏହାର କିଛି ସମୟ ପରେ ସମନ୍ତରାଳ ଭାବେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଉପନଗରପାଳ ପ୍ରଜିତ କୁମାର ଭୋଜଙ୍କ ସମେତ କିଛି ଦଳୀୟ କର୍ମୀ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକଙ୍କୁ ଅନୁରୂପ ଭାବେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ପୁଲିସ ଶାସକ ଦଳର ଇଙ୍ଗିତରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ । ସେହିପରି ଯୁବମୋର୍ଚ୍ଚା ଉପରେ ଆକ୍ରମଣ କରିଥିବା ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ । ତେବେ ବିଜେପିର ଗୋଟିଏ କାର୍ଯ୍ୟକ୍ରମରେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ଯୁବମୋର୍ଚ୍ଚା ବ୍ରହ୍ମା – ଦ୍ୱିବେଦୀ ଗୋଷ୍ଠୀ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଗୋଟିଏ ସ୍ଥାନକୁ ଆସି ନିଜର ଉପସ୍ଥିତି ଜାହିର କରିବା ବିଜେପି ନେତୃତ୍ୱକୁ ଅଡୁଆରେ ପକାଇଛି ।