ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନାଞ୍ଚଳରେ ଅସଲି ସୁନା ଦେଖାଇ ବିକ୍ରି କରିବା ଆଳରେ ନକଲି ସୁନା ଦେଇ ଟଙ୍କା ନେଇ ଫେରାର ହେବା ଘଟଣାରେ ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି । ଠକିଥିବା ଗ୍ରାମରେ ୪ମାସ ପରେ ପୁଣିଥରେ ଠକିବାକୁ ଆସି ପୁଲିସ ପଞ୍ଝାରେ ୨ ଠକ ଫସି ଯାଇଛନ୍ତି । କିନ୍ତୁ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଫେରାର ହେବାରେ ସଫଳ ହୋଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ କର୍ତାଳୀ ଆଲିପୁର ଗ୍ରାମର ଶଙ୍କର ଦାସ ଓ କୋଟିଣ୍ଡା ଥାନା ନାରାୟଣପୁର ଗ୍ରାମର ଈଶ୍ୱର ଅସିଦ୍ଦୁ ଦାଶ । ପୁଲିସ ସେମାନଙ୍କ ନିକଟରୁ ୫ଟି ଅସଲି ସୁନା ବଲ , ୨୮ଟି ନକଲି ସୁନା ବଲ, ୨ଟି ମୋବାଇଲ ଫୋନ, ନଗଦ ୧୬୦୦ ଟଙ୍କା ସହ ବିକ୍ରି କରିଥିବା ୨୫୦ ଗ୍ରାମର ନକଲି ସୁନାକୁ ଜବତ କରି ଆଜି କୋର୍ଟ ଚାଲାଣ କରିଛି ।
ମିଳିଥିବା ରିପୋର୍ଟ ମୁତାବକ, କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପୁଟବୁଲ ଗ୍ରାମକୁ ଗତ ଅକ୍ଟୋବର ୮ ତାରିଖରେ ୩ଜଣ ପୁରୁଷ ଓ ୨ଜଣ ମହିଳା ଚାଲୁଣି ବିକିବା ବାହାନାରେ ପହଞ୍ଚି ଖଗେଶ୍ୱର କିସାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ରହିଥିଲେ । ସେହି ଗ୍ରାମରେ ସନ୍ତୋଷ କୁମାର ସାହୁ ନାମକ ଜଣେ ବ୍ୟକ୍ତି କିରାନା ଦୋକାନ କରିଥିବାବେଳେ ୯ ତାରିଖ ଦିନ ତାଙ୍କ ଦୋକାନକୁ ଆସି କିଛି ସୁନା ଦେଖାଇ ସେମାନେ ଟ୍ରେନରୁ ପାଇଥିବା ଏବଂ ବିକ୍ରି କରିବାକୁ ଚାହୁଁଥିବା କହିଥିଲେ । ସନ୍ତୋଷ ସେହି ସୁନା କିଣିବାକୁ ରାଜି ହେବାସହ ସେଥିରୁ କିଛି ସାମ୍ପୁଲ ନେଇ ଗାଁ ସୁନା ଦୋକାନୀକୁ ପରୀକ୍ଷା ପାଇଁ କହିଥିଲେ । ପରୀକ୍ଷା ପରେ ସୁନା ଅସଲି ଥିବା କହିବା ପରେ ସନ୍ତୋଷ ଓ ତାଙ୍କ ସ୍ତ୍ରୀ ଅକ୍ଟୋବର ୧୨ ତାରିଖ ସନ୍ଧ୍ୟାରେ ୧ଲକ୍ଷ ୯୦ହଜାର ଟଙ୍କା ନେଇ ଠକ ଦଳ ରହୁଥିବା ଠିକଣାକୁ ଯାଇ ସେମାନଙ୍କୁ ଦେବାସହ ତାଙ୍କଠାରୁ ୨୫୦ ଗ୍ରାମ ଓଜନର ସୁନା ନେଇ ଘରକୁ ଫେରିଥିଲେ । ଫେରିବା ପରେ ପୁଣିଥରେ କିଣିଥିବା ସବୁ ସୁନା ଧରି ଗାଁ ସୁନାରି ନିକଟରେ ନେଇ ଦେଖାଇବାବେଳେ ସବୁ ସୁନା ନକଲି ଥିବା ଜାଣିବାକୁ ପାଇଥିଲେ । ପରେ ସନ୍ତୋଷ ତୁରନ୍ତ ପୁଣିଥରେ ସେଠାରେ ପହଞ୍ଚିବା ବେଳକୁ ଠକ ଦଳ ଫେରାର ହୋଇ ସାରିଥିଲେ । ଠକାମିର ଶିକାର ହୋଇଥିବା ଜାଣି ସନ୍ତୋଷ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ୫ ଅଜ୍ଞାତ ଲୋକଙ୍କ ବିରୁଦ୍ଧରେ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଆଉ ଏହାର ପ୍ରାୟ ୪ ମାସ ପରେ ଉକ୍ତ ଠକ ଦଳ ଗତକାଲି ପୁଣିଥରେ ସେହି ଗ୍ରାମକୁ ଆସିଥିବା ନେଇ ପୁଲିସକୁ ଗ୍ରାମବାସୀ ସୂଚନା ଦେଇଥିଲେ । ସୂଚନା ଆଧାରରେ ପୁଲିସ ସେହି ଗ୍ରାମରେ ପହଞ୍ଚି ୨ଜଣ ଠକଙ୍କୁ କାବୁ କରି ଗିରଫ କରିଥିବାବେଳେ ଅନ୍ୟଜଣେ ଫେରାର ହୋଇ ଯାଇଥିଲା ।