ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ ଆଜି ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଛି । ଫଳରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ‘ସାଲୁଙ୍କି’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ମୁନିଗୁଡ଼ାରୁ ଯାତ୍ରୀଙ୍କୁ ଧରି ଫୁଲବାଣୀ ଅଭିମୁଖେ ବାହାରିଥିଲା । ବସରେ ୩୦ରୁ ଅଧିକ ଯାତ୍ରୀ ଥିଲେ । ତେବେ କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥର କୋଟଗଡ଼ ଥାନା ପଣ୍ଡାଇର୍ପି ନିକଟସ୍ଥ ମୁଣ୍ଡାସାହି ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବସଟି ଯାଇ ଗୋଟିଏ ଗଛରେ ପିଟି ହୋଇ ଅଟକି ଯାଇଥିଲା । ତୁରନ୍ତ ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୩୦ରୁ ଊର୍ଦ୍ଧ୍ୱ ଆହତ ଯାତ୍ରୀଙ୍କୁ ବସରୁ ଉଦ୍ଧାର କରି କୋଟଗଡ଼ ହସ୍ପିଟାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିବା ପରେ ଗୁରୁତର ଥିବା ୬ଜଣ ଯାତ୍ରୀଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଘଟଣାସ୍ଥଳରେ କୋଟଗଡ଼ ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡ଼ିଛି ।