ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁ ସିକିଲସେଲ ରୋଗରେ ପୀଡ଼ିତ ଜଣେ ୧୩ ବର୍ଷୀୟ ବାଳକର ଜୀବନ ବଞ୍ଚିପାରିଛି । ଓମପ୍ରକାଶ ବେହେରା ନାମକ ଜଣେ ୧୩ ବର୍ଷୀୟ ବାଳକ ସିକିଲସେଲ ରୋଗରେ ପୀଡିତ ଥିବାବେଳେ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ପିଲାଟି ପାଇଁ ତୁରନ୍ତ ରକ୍ତର ଆବଶ୍ୟକତା ପଡ଼ିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ପରିବାର ଲୋକେ ଆବଶ୍ୟକତା ପାଇଁ 0+ ରକ୍ତ ପାଇଁ ରେଡକ୍ରସ ରକ୍ତ ଭଣ୍ଡାରକୁ ଯାଇଥିଲେ। ହେଲେ ସେହି ସମୟରେ ରକ୍ତ ଗଚ୍ଛିତ ନଥିବାରୁ ପରିବାର ଲୋକେ ହତାଶ ହୋଇ ପଡ଼ିଥିଲେ । ଏହି ସମୟରେ ସେଠାରେ ୧୦୮ ଆମ୍ବୁଲାନ୍ସ ନେଇ ଆସିଥିବା ପପୁ ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କର ସମାନ ଗ୍ରୁପ ରକ୍ତ ଥିବା ପ୍ରକାଶ କରିଥିଲେ । ପରେ ମାନବିକତା ପ୍ରଦର୍ଶନ ପୂର୍ବକ ସ୍ୱେଛାକୃତ ରକ୍ତ ଦାନ କରି ପପୁ ଜଣେ ନିଷ୍ପାପ ପିଲାଟିର ଜୀବନ ରକ୍ଷା କରିଥିଲେ । ଏହି ଘଟଣା ପରେ ଆମ୍ବୁଲାନ୍ସ କର୍ମଚାରୀ ପପୁଙ୍କୁ ବିଭାଗୀୟ ଅଧିକାରୀ ଓ ବହୁ ଜନସାଧାରଣ ପ୍ରଶଂସା କରିଛନ୍ତି ।