ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ୫୯ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକକୁ ଅଟକାଇ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, କୌଣସି ଯାତ୍ରୀବାହୀ ବସ ନଆସିବାରୁ ଏକ ଟ୍ରକରେ ସ୍କୁଲରୁ ଫେରୁଥିବାବେଳେ ପରମପାଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଧାନ ଚନ୍ଦ୍ର ଜେନାଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ତାଙ୍କଠାରୁ ୧୪ ହଜାର ୯୮୦ ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ । ଅନ୍ୟପଟେ ଡ୍ରାଇଭର ଶ୍ରୀଧର ମହାପାତ୍ରଙ୍କୁ ମଧ୍ୟ ମାଡ଼ ମାରି ୧୧ ହଜାର ୮୦୦ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି । ଶିକ୍ଷକ ଜଣକ ଅଚେତ ଅବସ୍ଥାରେ କିଛି ସମୟ ରହିଥିବାବେଳେ କିଛି ଲୋକ ତାଙ୍କୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଥିରେ ସ୍ଥାନୀୟ କିଛି ଯୁବକ ସଂପୃକ୍ତ ରହିଥିବା ଅନୁମାନ କରାଯାଉଛି । ଏନେଇ ଶିକ୍ଷକ ଓ ଡ୍ରାଇଭର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଟ୍ରକଟି ଇଟା ନିର୍ମାଣ ପାଇଁ ପାଉଁଶ ଗୁଣ୍ଡ ଧରି ଲାଞ୍ଜିଗଡ଼ରୁ ଜି.ଉଦୟଗିରି ଆସୁଥିବାବେଳେ ଏହି ଘଟଣା ଘଟିଛି । ଉକ୍ତ ଟ୍ରକଟି ଭଞ୍ଜନଗର ନିକଟସ୍ଥ କ୍ଷତ୍ରୀୟ ବରପୁର ବଡ଼ କୋଦଣ୍ଡା ଗ୍ରାମର ସନ୍ତୋଷ କୁମାର ଲେଙ୍କାଙ୍କର ବୋଲି ଜଣାପଡ଼ିଛି ।