ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଉଠା ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସର ମଧ୍ୟରେ ପାଣି ପଞ୍ଚାୟତ ପକ୍ଷ ୨୦୨୩ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଓ ସାଂସଦଙ୍କ ପ୍ରତିନିଧି ଯୋଗେନ୍ଦ୍ର ସ୍ୱାଇଁ ଯୋଗଦେଇ ପାଣି ପଞ୍ଚାୟତ ପକ୍ଷ ପାଳନର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି କୃଷି ଓ ଆନୁଷଙ୍ଗିକ କାର୍ଯ୍ୟର ବିକାଶ ପାଇଁ ପାଣି ପଞ୍ଚାୟତର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରିଥିଲେ । ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗଦେଇ ଜିଲ୍ଲାର ଚାଷୀଙ୍କ ପାଇଁ ଆବଶ୍ୟକ ଜଳସେଚନର ସୁବିଧା କିପରି କରାଯାଇ ପାରିବ ଏବଂ ସେମାନେ କିପରି ସରକାରୀ ସୁବିଧାର ଲାଭ ଉଠାଇ ଏହାଦ୍ୱାରା ଉପକୃତ ହୋଇପାରିବେ ସେସମ୍ପର୍କରେ ଉଲ୍ଲେଖ କରିଥିଲେ । ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ଅଭିଭାଷଣରେ ପାଣି ପଞ୍ଚାୟତ ପକ୍ଷ ପାଳନ ସମ୍ପର୍କରେ ଦର୍ଶାଇ ଜଳ ସମ୍ପଦର ସଠିକ୍ ବିନିଯୋଗ କରି ଚାଷୀ ଭାଇମାନେ କିପରି ଉପକୃତ ହୋଇପାରିବେ ସେନେଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ କୃଷିର ଉନ୍ନତି ପାଇଁ ପାଣି ପଞ୍ଚାୟତର ଆବଶ୍ୟକତା ଉପରେ ଉଲ୍ଲେଖ କରି ଚାଷୀମାନେ କିପରି ଅଧିକ ସଚେତନ ହୋଇ ଆବଶ୍ୟକ ସରକାରୀ ସୁବିଧାର ସୁଯୋଗ ନେଇପାରିବେ ସେସମ୍ପର୍କରେ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଅଧିକ ଯତ୍ନବାନ ହେବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଥିଲେ । ଅନ୍ୟତମ ଅତିଥିଭାବେ ଓଡ଼ିଶା ଉଠା ଜଳସେଚନ ନିଗମର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ଯୋଗଦେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ କୃଷକଙ୍କୁ ସଚେତନ କରି ପାଣି ପଞ୍ଚାୟତ ଦ୍ୱାରା କିପରି ଚାଷୀମାନେ ଲାଭବାନ ହୋଇପାରିବେ ସେସମ୍ପର୍କରେ ଉଲ୍ଲେଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମତ୍ସ ଅଧିକାରୀ ଜଗଦୀଶ ରାଓ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ସୁଧୀର କୁମାର ପ୍ରଧାନ, ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା କୃଷକ, ବରିଷ୍ଠ ନାଗରିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଜନ ଦିଲ୍ଲୀପ କୁମାର ଦାଶ ଅଧ୍ୟକ୍ଷତା କରିଥିବାବେଳେ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।