ଟିଟିଲାଗଡ଼,ଏନ୍ଏନ୍ଏସ୍: ସ୍ପୋର୍ଟ୍ସ ଅର୍ଥରିଟି ଅଫ ଇଣ୍ଡିଆ ପକ୍ଷରୁ କଲିକତାସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ଇଷ୍ଟର୍ଣ୍ଣ ସେଣ୍ଟରରେ ଗତ ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଇଷ୍ଟର୍ଣ୍ଣ ଜୁଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ସଫଳତା ମିଳିଛି । ଏଥିରେ ଓଡ଼ିଶାର ୩୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ଟିଟିଲାଗଡ଼ସ୍ଥିତ ଓମ ଭେଲି ସ୍କୁଲର ଛାତ୍ରୀ ଜୀ. ବଂଶୀଖା ଏକମାତ୍ର ଖେଳାଳି ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଛାତ୍ରୀ ଜୀ. ବଂଶୀଖା କନିଷ୍ଠ କେଡେଡ଼ ବିଭାଗରେ ମଧ୍ୟ ରୌପ୍ୟ ପଦକ ହାତେଇଛନ୍ତି । ସେହିପରି କେଡେଡ଼ରେ ଓମ ଭେଲି ସ୍କୁଲର ନମ୍ରତା ଦର୍ଜୀ ରୌପ୍ୟ ପଦକ ହାସଲ କରିଛନ୍ତି । ଛାତ୍ରୀ ଦିବ୍ୟା କମାନୀ କେଡେଡ଼ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ସଫଳତା ହାସଲ କରିଥିବା ପ୍ରତିଯୋଗୀମାନେ ଆଜି ଟିଟିଲାଗଡ଼ ପହଞ୍ଚିବା ପରେ ଇଷ୍ଟଦେବୀ ମା’ ଘଂଟାଶୁଣି ମନ୍ଦିର ପରିସରରୁ ଏକ ଖୋଲା ଗାଡ଼ିରେ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ । ପରେ ଓମ ଭେଲି ସ୍କୁଲ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ପୌରାଧ୍ୟକ୍ଷା ମମତା ଦେବୀ ଜୈନ ଅତିଥିଭାବେ ଯୋଗଦେଇ ରାଜ୍ୟ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ଓମ ଭେଲିି ପରିଚାଳିକା ନିର୍ଦ୍ଦେଶିକା ବିଭା ଗୁପ୍ତା, ଟିଟିଲାଗଡ଼ରେ ଜୁଡ଼ୋ ଖେଳ ପାଇଁ ପର୍ଯ୍ୟାପ୍ତ ସୁବିଧା କରିବାକୁ ସେ ଉଦ୍ୟମ କରିବେ ବୋଲି କହିଥିଲେ । ବଲାଙ୍ଗୀର ଜିଲ୍ଲା ଜୁଡୋ ଆସୋସିଏସନର ସଭାପତି ଗୋବିନ୍ଦ ପ୍ରସାଦ ଜୈନ, ବଲାଙ୍ଗୀର ତଥା କଳାହାଣ୍ଡି ଜିଲ୍ଲା ଜୁଡୋ କୋଚ ଦେବେନ୍ଦ୍ର ଜୈନ, କୋଷାଧ୍ୟକ୍ଷ କେଦାର କବାଟ, ଆଇନଜୀବୀ ବୀରେନ୍ଦ୍ର ବାଗ ଓ ଓମ ଭେଲି ସ୍କୁଲ ଅଧ୍ୟକ୍ଷ ଏମ ପି ମିଶ୍ର ପ୍ରମୁଖ ମଞ୍ଚସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃତୀ ଖେଳାଳିଙ୍କ ଅଭିଭାବକ ଜି ମଧୁ, ଜି. ମିନାକ୍ଷୀ, ହେମନ୍ତ ଦର୍ଜୀ, ଅଂଶୁପା ଦର୍ଜୀ, ବିମଲ କମାନୀ, ସ୍ୱିଟି କମାନୀ ଓ ଖେଳ ଶିକ୍ଷକ ଦାନୀଏଲ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।