ଜାତୀୟ ଶିଶୁକନ୍ୟା ଦିବସ ପାଳିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବ୍ୟାପୀ ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ ଓ ଜିଲ୍ଲା ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୩୦୦ ବାଳିକାଙ୍କ ଏକ ସାଇକେଲ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ଜିଲ୍ଲା ଶିକ୍ଷା ବିଭାଗ ଓ ସମାଜ ମଙ୍ଗଳ ବିଭାଗର ସଚେତନତା ରଥ ସହ ଉତ୍ସବ ପ୍ରାଧନପାଟ ସାଂସ୍କୃତିକ ମଣ୍ଡପରେ ପହଞ୍ଚି ଥିଲା । ସେଠାରେ ଜିଲ୍ଲା ଶିଶୁ ସୁରକ୍ଷାଧିକାରୀ ରୋମିଓ ମହାପାତ୍ରଙ୍କ ଦ୍ୱାରା ପରିଚାଳିତ ଶିଶୁକନ୍ୟାଙ୍କ ଏକ ଜିଲ୍ଲା ସମାବେଶକୁ ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ, ଅଧ୍ୟାପିକା ସସ୍ମିତା ପ୍ରଧାନ, ସିଡବ୍ଲ୍ୟୁସି ସଦସ୍ୟା ଜ୍ୟୋତ୍ସ୍ନା ରାଣୀ ମିଶ୍ର , ଏଏନଏମ ମହାବଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟା ନିଖଣ୍ଡିଆ, ଅବସରପ୍ରାପ୍ତ ସିଡିପିଓ ପ୍ରବିଣା ମିଶ୍ର, ଆଇନଜୀବୀ ପିଙ୍କୀରାଣୀ ନନ୍ଦ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଶିଶୁକନ୍ୟାଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ତିଳେଇବଣୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ଜିଲ୍ଲାର ଏକକ କନ୍ୟା ଥିବା ୨୩ଜଣ ପିତାମାତାଙ୍କୁ ସମ୍ମାନିତ କରାଯାଇଥିଲା । ଗତ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପିତା-କନ୍ୟା ଯୋଡ଼ିର ଏକ ସେଲ୍ଫି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଜିଲ୍ଲା ସମାବେଶରେ ଶ୍ରେଷ୍ଠ ୧୫ଜଣ ପିତା-କନ୍ୟା ଯୋଡ଼ିଙ୍କ ସେଲଫିକୁ ପୁରସ୍କୃତ କରଯାଇଥିଲା ।