ଜାତୀୟ ମତଦାତା ଦିବସ ପାଳିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ତ୍ରୟୋଦଶ ଜାତୀୟ ମତଦାତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୋମେଶ ଉପାଧ୍ୟାୟ ଅଧ୍ୟକ୍ଷତା କରିଥିଲେ । ଗଣତନ୍ତ୍ର ରାଷ୍ଟ୍ରରେ ଭୋଟରଙ୍କ ଭୂମିକା ସମ୍ପର୍କରେ ଉପସ୍ଥିତ ଭୋଟରଙ୍କୁ ଉଦବୋଧନ ଦେବାସହ ପ୍ରତ୍ୟେକ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରି ଏକ ସୁସ୍ଥ ରାଷ୍ଟ୍ର ଗଠନ କରିବାକୁ ଶ୍ରୀ ଉପାଧ୍ୟାୟ ଆହ୍ୱାନ ଦେଇଥିଲେ । ଜିଲ୍ଲାରେ ନୂତନ ଭୋଟର ଭାବେ ୪,୯୯୫ ସାବାଳକଙ୍କୁ ସାମିଲ କରାଯାଇଥିବାବେଳେ ନୂତନ ଭୋଟରଙ୍କୁ ଡିଜିଟାଲ ଭୋଟର ପରିଚୟ ପତ୍ର ଜିଲ୍ଲାପାଳ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାରଙ୍କ ସମେତ ନୂତନ ଭୋଟର ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଶ୍ରୀ ଉପାଧ୍ୟାୟ ସଚେତନ ଭୋଟର ଭାବେ ରାଷ୍ଟ୍ର ହିତ ପାଇଁ ନିଜ ମତାଧିକାର ସାବ୍ୟସ୍ତ ପାଇଁ ସମୂହ ଶପଥ ପାଠ କରାଇଥିଲେ ।