ବେଲଘରରେ ହାତୀ ଆତଙ୍କ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳରେ ୫୦ ଟିକିଆ ହାତୀପଲ ଗାଁ ନିକଟ ଜଙ୍ଗଲରେ ଚଳପ୍ରଚଳ କରୁଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । କନ୍ଧମାଳ ଜିଲ୍ଲା ବେଲଘର ବନାଞ୍ଚଳ ଅନ୍ତର୍ଗତ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଝିରିପାଣି ଞ ଭଣ୍ଡରଙ୍ଗି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଉକ୍ତ ଘଟଣାକୁ ନେଇ ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ହାତୀର ଗତିପଥ ଉପରେ ନଜର ରଖିଛନ୍ତି । ଏହି ହାତୀ ପଲ ଆଜିକୁ ପ୍ରାୟ ୭ରୁ ୮ଦିନ ହେବ ଝିରିପାଣି ଜଙ୍ଗଲରେ ରହିଥିବା ବେଳେ ଗାଁ ନିକଟସ୍ଥ ଧାନକୁ ପାଣି ପିଇବାକୁ ଆସୁଛନ୍ତି । ଏଥିସହିତ ଝିରିପାଣୀ ଫରେଷ୍ଟର ଶିବାଜୀ ବେହେରା ଓ ରେଞ୍ଜର ଅରୁଣ ସାହୁ ଅଞ୍ଚଳବାସୀଙ୍କୁ ସଚେତନ କରାଉଛନ୍ତି । ଏହାସହ ଝିରିପାଣୀ ଜଙ୍ଗଲକୁ କଳାହାଣ୍ଡି ଜଙ୍ଗଲ ଲାଗିଥିବାରୁ କଳାହାଣ୍ଡି ପଟରୁ ଏହି ହାତୀପଲ ଉକ୍ତ ଅଞ୍ଚଳକୁ ପଶି ଆସିଥିବା ବନ ବିଭାଗ ଅନୁମାନ କରୁଛି ।

ପ୍ରକାଶଥାଉ କି, ପୂର୍ବରୁ ଧାନ ଅମଳ ସମୟରେ ଗାଁ ଭିତରକୁ ଆସି ଲୋକଙ୍କ ଚାଷ ନଷ୍ଟ କରିଥିବାବେଳେ ବନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦିଆଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଭଳି ବିଭିନ୍ନ ସମୟରେ ହାତୀ ପଲ ବେଲଘର ବନାଞ୍ଚଳର ଝିରିପାଣୀ, ଲଙ୍କାଗଡ଼ ଓ ଭଣ୍ଡରଙ୍ଗି ଜଙ୍ଗଲକୁ ଆସି ରହୁଥିବା ଦେଖିବାକୁ ମିଳୁଛି । ହାତୀ ଭୟରେ ଅନେକ ସରକାରୀ କାର୍ଯ୍ୟକ୍ରମ ଉକ୍ତ ଅଞ୍ଚଳରେ ବର୍ତ୍ତମାନ ବନ୍ଦ ରହିଥିବା ଜଣାପଡ଼ିଛି ।