ମାଣ୍ଡିଆ ସଚେତନତା ରଥ ଉଦଘାଟିତ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଦ୍ୱାରା ମିଲେଟ୍‌(ମାଣ୍ଡିଆ) ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରବନ୍ଧକ ନିର୍ଦ୍ଦେଶକ ଆଲୋମଣି ସେଠୀ, ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ, ଏଡିଓ ବଲବୀର ସିଂ ଓ ଓଡ଼ିଶା ମିଲେଟ ମିଶନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଟିକେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗତ ଖରିଫ ଋତୁରେ ଅମଳ ହୋଇଥିବା ମାଣ୍ଡିଆର ସହଜ ବିକ୍ରି ପାଇଁ ପ୍ରଥମଥର ଲାଗି ସରକାରଙ୍କ ତରଫରୁ ମଣ୍ଡିରେ ମାଣ୍ଡିଆ ସଂଗ୍ରହ ପାଇଁ ଝାରସୁଗୁଡ଼ା ଜିଲ୍ଲାର ୫ଟି ବ୍ଲକରେ ପ୍ରଚାର ରଥ ବୁଲିବାର ଯୋଜନା ରହିଥିବା ନେଇ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ସରକାରଙ୍କ ତରଫରୁ କ୍ୱିଣ୍ଟାଲ ପ୍ରତି ୩,୫୭୮ ଟଙ୍କା ରହିଛି । ଚଳିତ ବର୍ଷ ୧୮ଟି ମଣ୍ଡି ମାଧ୍ୟମରେ ଟିଡିକୋଲ ଦ୍ୱାରା ମାଣ୍ଡିଆ କ୍ରୟ କରାଯିବ ଓ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ପରେ ୩ଦିନ ମଧ୍ୟରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବାର ବ୍ୟବସ୍ଥା କରାଯାଇଛି । ତେଣୁ କୃଷକମାନେ ଏହି ଚାଷକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ଓ ବହୁଳ ପରିମାଣରେ ଚାଷ କଲେ ସେମାନେ ଆର୍ôଥକ ଦୃଷ୍ଟିକୋଣରୁ ସଶକ୍ତ ହୋଇପାରିବେ ଓ ସମାଜକୁ ସୁସ୍ଥ ସୁନ୍ଦର ଗଢ଼ିବା ପାଇଁ ନିଜର ବହୁମୂଲ୍ୟ ଅବଦାନ ଦେଇପାରିବେ ବୋଲି ଉପସ୍ଥିତ ଅତିଥିବୃନ୍ଦ କହିଥିଲେ । ଏହି କାର୍ଯ୍ୟକ୍ରମରେ ଲଇକେରା, କୋଲାବିରା, ଝାରସୁଗୁଡ଼ା, କିର୍ମିରା ଓ ଲଖନପୁର ବ୍ଲକର ମାଣ୍ଡିଆ ରଥ ସହ ଜିଲ୍ଲା ତଥା ବିଭିନ୍ନ ବ୍ଲକର କୃଷକ, କୃଷି କର୍ମଚାରୀ, ସେବା, ସେବକ ଓ ଆଜକା ସଂଗଠନର କର୍ମୀମାନେ ମଧ୍ୟ ଯୋଗ ଦେଇଥିଲେ ।